ନନ୍ଦନକାନନରେ ଆତଙ୍କ, ସଫାରୀରୁ ଖସିଗଲା ମହାବଳ ବାଘ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ନନ୍ଦନକାନନରେ ଆଜି ଏକ ବଡ଼ ଧରଣର ଅଘଟଣ ଘଟିବା ପୂର୍ବରୁ ସଙ୍କଟ ଟଳିଯାଇଛି । ଆଜି ସକାଳୁ ସଫାରୀ ଭିତରୁ ଖସିଯାଇଥିଲା ମହାବଳ ବାଘ ସୂରଜ। ବାଘ ସଫାରୀ ଭିତରୁ ଖସିଯିବାର ଖବର ପ୍ରଚାରିତ ହେବା ମାତ୍ରେ ଆଜି ନନ୍ଦନକାନନରେ ଆତଙ୍କ ସୃଷ୍ଟି ହୋଇଯାଇଥିଲା । କିନ୍ତୁ ଆଶ୍ବସ୍ତିର କଥା ହେଉଛି ନନ୍ଦନକାନନ କର୍ମଚାରୀ କିଛି ସମୟ ମଧ୍ୟରେ ମହାବଳ ବାଘ ସୂରଜକୁ ସଫାରୀକୁ ଫେରାଇ ଆଣିବାରେ ସକ୍ଷମ ହୋଇଥିଲେ। 

ଆଜି ସକାଳୁ ଯେତେବେଳେ ସଫାରୀରେ ଥିବା ବାଘକୁ ଖାଇବାକୁ ଦେବା ପାଇଁ ସେଠାରେ ନିୟୋଜିତ ଥିବା କର୍ମଚାରୀ ଜଣକ ଯାଇଥିଲେ, ସେତେବେଳେ ମହାବଳ ବାଘ ସୂରଜ ସେଠାରେ ନ ଥିଲା। ଏବଂ ଜାଲିରେ ଛିଦ୍ର ହୋଇଥିବା ଦେଖିବାକୁ ପାଇଥିଲେ। ଏହାପରେ ଏକ୍ସପର୍ଟ ଟିମ୍‌ ଦ୍ୱାରା ଖୋଜାଖୋଜି କରି ପ୍ରାୟ ୧୦ରୁ ୧୫ ମିନିଟ୍‌ ମଧ୍ୟରେ ବାଘ ସୂରଜକୁ ସଫାରୀକୁ ଅଣାଯାଇଥିଲା।

ନନ୍ଦନକାନନ କର୍ତ୍ତୃପକ୍ଷ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ବାଘ ଭଳି ପ୍ରାଣୀଙ୍କ କ୍ଷେତ୍ରରେ ଏଭଳି ଆଚରଣ ସାମାନ୍ୟ । ଜଙ୍ଗଲି ଜନ୍ତୁ ହୋଇଥିବାରୁ କେତେବେଳେ କିପରି ଆଚରଣ ଦେଖାଇବ ତାହା ଆକଳନ କରିବା କଷ୍ଟକର । ତେବେ ବର୍ତ୍ତମାନ ସେଠାରେ ସ୍ଥିତି ସ୍ୱାଭାବିକ ରହିଛି ବୋଲି କର୍ତ୍ତୃପକ୍ଷ କହିଛନ୍ତି। 

ସୂଚନାଯୋଗ୍ୟ ଯେ , କରୋନା କଟକଣା ଯୋଗୁଁ ପୂର୍ବରୁ ନନ୍ଦନକାନନ ଶନିବାର ଓ ରବିବାର ବନ୍ଦ ରହୁଥିଲା। ତେବେ ରାଜ୍ୟ ସରକାରଙ୍କ ସେପ୍ଟେମ୍ବର ଗାଇଡଲାଇନ ଅନୁଯାୟୀ ରାଜ୍ୟ ସରକାର ସପ୍ତାହାନ୍ତ ଶଟଡାଉନ୍‌  ଉଠାଇ ଦେଇଥିବାରୁ ନନ୍ଦନକାନନ ମଧ୍ୟ ଏହି ୨ ଦିନ ଖୋଲା ରହିବ। ତେବେ ପୂର୍ବ ପରି ପ୍ରତି ସପ୍ତାହର ସୋମବାର ନନ୍ଦନକାନନ ବନ୍ଦ ରହିବ ବୋଲି  କହିଛନ୍ତି କର୍ତ୍ତୃପକ୍ଷ ।

Related Posts