(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କରୋନା ମହାମାରୀ ଯୋଗୁଁ ପରୀକ୍ଷା ନହୋଇଥିଵା କାରଣରୁ ଚଳିତ ଶିକ୍ଷାବର୍ଷରେ ଅଧିକ ରୁ ଅଧିକ ସଂଖ୍ୟାରେ ପିଲା ଦଶମ ପାସ୍ କରିଛନ୍ତି। ଆଉ ଏହାକୁ ଦୃଷ୍ଟିରେ ରଖି ସରକାର ସବୁ କଲେଜରେ ୩୦ ପ୍ରତିଶତ ସିଟ୍ ସଂଖ୍ୟା ବୃଦ୍ଧି କରିଛନ୍ତି।
କିନ୍ତୁ ଆଇଟିଆଇ କ୍ଷେତ୍ରରେ ଭାରତ ସରକାରଙ୍କ ଡିଜିଟି (ଡାଇରେକ୍ଟର ଜେନେରାଲ ଟେକ୍ନିକାଲ ଏଜୁକେସନ) କୋଭିଡ କଟକଣା ଆଳ ଦେଖାଇ ଓଡ଼ିଶାର ୪୯ଟି ସରକାରୀ ଓ ୪୫୭ଟି ଘରୋଇ ଆଇଟିଆଇର ୧୪ ହଜାର ସିଟ୍ ହ୍ରାସ କରାଯାଇଥିବା ଜଣା ପଡ଼ିଛି । କମ୍ପ୍ୟୁଟର ବେସଡ୍ ଟେଷ୍ଟ ବିରୋଧ କରିବାରୁ ଏଭଳି ନିଷ୍ପତ୍ତିର ଶିକାର ହୋଇଛନ୍ତି ଛାତ୍ର ଛାତ୍ରୀ । ଏମିତି କିଛି ଅଭିଯୋଗ ଆଣିଛନ୍ତି, ଓଡ଼ିଶା ପ୍ରାଇଭେଟ୍ ଆଇଟିଆଇ ସଂଘର ସଂପାଦକ ଇଞ୍ଜିନିୟର ଦେବାଶିଷ ଆଚାର୍ଯ୍ୟ ଅଭିଯୋଗ କରିଛନ୍ତି।
ଜୁଲାଇ ମାସ ରୁ ଅଗଷ୍ଟ ମାସ ଶେଷ ପର୍ଯ୍ୟନ୍ତ ଆଇଟିଆଇରେ ନାମଲେଖା ବ୍ୟବସ୍ଥା ରହିଛି। ଡିଜିଟି ପକ୍ଷରୁ ଗଲା ଜୁଲାଇ ୨୬ ତାରିଖରେ ରାଜ୍ୟ ସରକାରଙ୍କ ଡିଟିଇଟିକୁ ଚିଠି ଲେଖି କୋଭିଡ କଟକଣା ପାଇଁ ଉଭୟ ସରକାରୀ ଓ ବେସରକାରୀ ଆଇଟିଆଇରେ ଥାର୍ଡ ସିଫ୍ଟରେ ଥିବା ସିଟ୍ କଟାଗଲା ବୋଲି ଅବଗତ କରାଇ ଦିଆଯାଇଥିଲା।
କିନ୍ତୁ ଡିଟିଇଟି ନିର୍ଦ୍ଦେଶକ କେନ୍ଦ୍ର ସରକାରଙ୍କ ଏହି ଚିଠି ପାଇବା ପରେ ଚୁପ୍ ବସିପଡିଥିଲେ। ପରେ ସେପ୍ଟେମ୍ବର ୧ ତାରିଖରେ ଏ ସଂକ୍ରାନ୍ତରେ ସବୁ ଆଇଟିଆଇକୁ ଚିଠି କରିଛନ୍ତି। ଡିଟିଇଟି ନିର୍ଦ୍ଦେଶକ ରେଘୁ ଜି ଥାର୍ଡ ସିଫ୍ଟ ନାମ ନ ଲେଖାଇବା ପାଇଁ ସବୁ ଆଇଟିଆଇକୁ ଚିଠି (ନଂ ଡିଟିଇଟି-ସିଟିଆଇ-ଏଏମଡି-୦୦୪-୨୦୨୧- ୮୯୨୬/୧-୯-୨୦୨୧) ଲେଖି ନିର୍ଦ୍ଦେଶ ଦେଇଛନ୍ତି। ଏବଂ ଏ ଚିଠିକୁ ନେଇ ଏବେ ସବୁ ଆଇଟିଆଇରେ ଅନିଶ୍ଚିତତା ସୃଷ୍ଟି ହୋଇଛି।
ଏ ନେଇ ରେଘୁ ଜି କହିଛନ୍ତି ଯେ ଓଡ଼ିଶାର ସ୍ବାର୍ଥ ପାଇଁ ସିଟ୍ ନ କାଟିବାକୁ ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା ଡିଜିଇଟିକୁ ଦୁଇ ଦୁଇ ଥର ଚିଠି ଲେଖିଥିଲେ। ଏହା ପରେ ଡିଜିଇଟି ଏହି ନିଷ୍ପତ୍ତି ଉପରେ ପୁନର୍ବିଚାର କରିବ ବୋଲି ଆଶା କରାଯାଉଥିଲା। କିନ୍ତୁ ଡିଜିଇଟି ସିଟ୍ ହ୍ରାସ ହେବା କାରଣରୁ ବିଭାଗ ପକ୍ଷରୁ ଏହି ଚିଠି ଜାରି କରାଗଲା। ଅନ୍ୟପକ୍ଷରେ ସେହି ସମୟରେ ନାମ ଲେଖାଇ ସାରିଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ଘରୋଇ ଆଇଟିଆଇଗୁଡ଼ିକ ସେମାନଙ୍କ ରୋଷର ଶିକାର ହେଉଛନ୍ତି ବୋଲି ସଂପାଦକ ଦେବାଶିଷ ଆଚାର୍ଯ୍ୟ ଅଭିଯୋଗ କରିଛନ୍ତି।
