ଦେଶର ପ୍ରମୁଖ ୭ ଆଇଆଇଟିରେ ଅଧାରୁ ଅଧିକ ଡ୍ରପ୍ ଆଉଟ୍ ସଂରକ୍ଷିତ ବର୍ଗର : କେନ୍ଦ୍ର ସରକାର

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : କୁହାଯାଏ ପଛୁଆ ବର୍ଗ ଏବଂ ଆଦିବାସୀଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାର ମୂଳ ଅସ୍ତ୍ର ହେଉଛି ଶିକ୍ଷା । ସରକାରୀ ଶିକ୍ଷାନୁଷ୍ଠାନରେ ପଛୁଆ ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ଆଡମିଶନରେ କୋଟା ପାଇଁ ଦାବି ଉଠେ। କିନ୍ତୁ ଏହି ବର୍ଗର ପିଲାମାନେ ଅଧିକାଂଶ ଏବେ ଡ୍ରପଆଉଟ ହେଉଛନ୍ତି।

ଖୋଦ୍ କେନ୍ଦ୍ର ଶିକ୍ଷାମନ୍ତ୍ରୀ ସଂସଦରେ ଏହି ସୂଚନା ଦେଇଛନ୍ତି। ରାଜ୍ୟସଭାରେ କେରଳର ସାଂସଦ ଭି ଶିବଦାସାନଙ୍କ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଗତ ୫ ବର୍ଷରେ ସାରା ଦେଶରେ ଥିବା ୭ଟି ଆଇଆଇଟି ଶିକ୍ଷାନୁଷ୍ଠାନରୁ ଅଧାରେ ଡ୍ରପ୍ ଆଉଟ୍ କରିଥିବା ବିଦ୍ୟାର୍ଥୀଙ୍କ ମଧ୍ୟରୁ ୬୩ ପ୍ରତିଶତ ଛାତ୍ରଛାତ୍ରୀ ହେଉଛନ୍ତି ଆରକ୍ଷଣ ଶ୍ରେଣୀର।

ସେମାନଙ୍କ ମଧ୍ୟରୁ ୪୦ ପ୍ରତିଶତ ଏସି ଏବଂ ଏସଟି ସମୁଦାୟର । ଏହି ଭଳି ସଂସ୍ଥା ଗୁଡ଼ିକର ବିଭିନ୍ନ ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ମୋଟ ଉପରେ ୭୨ ପ୍ରତିଶତ ଆରକ୍ଷଣ ରହିଛି। ଏସସି, ଏସଟି ଓ ଓବିସି ବର୍ଗ ପରି ସେନା, ଭିନ୍ନକ୍ଷମ ଓ ବିଦେଶ କୋଟା ପାଇଁ ମଧ୍ୟ ସଂରକ୍ଷଣ ରହିଛି।

ଆଇଆଇଟିରେ ୫୦ ପ୍ରତିଶତ ସିଟ୍ ସଂରକ୍ଷିତ ଶ୍ରେଣୀଙ୍କ ପାଇଁ ରହିଥିବା ବେଳେ ସେଥିମଧ୍ୟରୁ ୨୩ ପ୍ରତିଶତ ଏସସି, ଏସଟିଙ୍କ ପାଇଁ ରହିଛି।
ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟସଭାରେ ସୂଚନା ଦେଇଛନ୍ତି ଯେ ଛାତ୍ରଛାତ୍ରୀମାନେ ଏହି ଭଳି ଉଚ୍ଚ ଶିକ୍ଷାନୁଷ୍ଠାନ ଛାଡ଼ିବାର ମୁଖ୍ୟ କାରଣ ହେଉଛି ଛାତ୍ରଛାତ୍ରୀଙ୍କୁ ମନ ପସନ୍ଦର ବିଭାଗ କିମ୍ବା ଅନୁଷ୍ଠାନ ସେମାନଙ୍କୁ ନମିଳିବା।

ମନ୍ତ୍ରୀ କହିଛନ୍ତି ଅନେକ ଥର ବିଦ୍ୟାର୍ଥୀମାନେ ବ୍ୟକ୍ତିଗତ କାରଣରୁ ମଧ୍ୟ ସ୍ନାତକ ଶେଷ ନକରି ଅଧାରୁ ଛାଡ଼ି ଚାଲି ଯାଆନ୍ତି। ଏହାକୁ ରୋକିବା ପାଇଁ ସରକାର କଣ ପଦକ୍ଷେପ ନେଇଛନ୍ତି ବୋଲି ପଚରାଯିବାରୁ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଆମେ ବଡ଼ ବଡ଼ ଶିକ୍ଷାନୁଷ୍ଠାନର ପଢ଼ିବା ପାଇଁ ଯେଉଁ ଦେୟ ରହିଛି ତାହା ହ୍ରାସ କରିଛୁ। ବିଦ୍ୟାର୍ଥୀଙ୍କ ପାଇଁ ବୃତ୍ତି, ଜାତୀୟ ସ୍ତରରେ ଛାତ୍ରବୃତ୍ତି ଆର୍ଥିକ ଦୁର୍ବଳ ଶ୍ରେଣୀର ବିଦ୍ୟାର୍ଥୀଙ୍କୁ ସାହାଯ୍ୟ କରିବା ପାଇଁ ପଦକ୍ଷେପ ନିଆଯାଇଛି ବୋଲି ମନ୍ତ୍ରୀ ସଂସଦରେ ସୂଚନା ଦେଇଛନ୍ତି।

‘ଦ ହିନ୍ଦୁ’ର ରିପୋର୍ଟ ଅନୁଯାୟୀ, ଆଇଆଇଟି ଗୌହାଟିରେ ମୋଟ୍ ୮୮ ପ୍ରତିଶତ ଡ୍ରପ ଆଉଟରୁ ୨୫ ପ୍ରତିଶତ ସଂରକ୍ଷିତ ବର୍ଗର ଛାତ୍ରଛାତ୍ରୀ। ୨୦୧୮ରେ ୧୦ ଜଣ ସଂରକ୍ଷିତ ବର୍ଗର ବିଦ୍ୟାର୍ଥୀ ଆଇଆଇଟି ଦିଲ୍ଲୀ ଛାଡ଼ିଛନ୍ତି। ୨୦୧୯ କୁ ବାଦ ଦେଲେ ଅନ୍ୟ ସବୁ ବର୍ଷ ଗୁଡ଼ିକରେ ବିଦ୍ୟାର୍ଥୀ ଡ୍ରପ ଆଉଟ୍ କରୁଥିବାର ରେକର୍ଡ ରହିଛି। ଆଇଆଇଟି ଦିଲ୍ଲୀରେ ମୋଟ୍ ୭୬ ପ୍ରତିଶତ ଡ୍ରପ ଆଉଟ୍ ସଂରକ୍ଷିତ ବର୍ଗର ରହିଛନ୍ତି। ସେଥିମଧ୍ୟରୁ ଅଧାରୁ ଅଧିକ ଏସସି ଏବଂ ଏସଟି ବର୍ଗର ବୋଲି ରିପୋର୍ଟରେ ଦର୍ଶାଯାଇଛି।

ସେହିପରି ଆଇଆଇଟି ମାଡ୍ରାସରେ ଗତ ପାଞ୍ଚ ବର୍ଷ ମଧ୍ୟରେ ୧୦ ଜଣ ଡ୍ରପଆଉଟ୍ କରିଛନ୍ତି। ଏମାନଙ୍କ ମଧ୍ୟରୁ ୬ ଜଣ ଏସସି / ଏସଟି ଏବଂ ଅନ୍ୟ ଜଣେ ଓବିସି ବର୍ଗର। ମୋଟ ଉପରେ ଅନୁଷ୍ଠାନର ୭୦% ଡ୍ରପଆଉଟ୍ ସଂରକ୍ଷିତ ବର୍ଗର ରହିଛନ୍ତି। ଆଇଆଇଟି ଖଡଗପୁରରେ ସର୍ବାଧିକ ଗତ ପାଞ୍ଚ ବର୍ଷ ମଧ୍ୟରେ ପ୍ରାୟ ୭୯ ଜଣ ବିଦ୍ୟାର୍ଥୀ ଏହି ଅନୁଷ୍ଠାନରୁ ଅଧାରୁ ପାଠ ପଢା ଛାଡିଛନ୍ତି। ସେଥିମଧ୍ୟରୁ ୬୦ ପ୍ରତିଶତରୁ ଅଧିକ ସଂରକ୍ଷିତ ବର୍ଗର । କିନ୍ତୁ ଆଇଆଇଟି ବମ୍ବେରେ ରେକର୍ଡ ଭଲ ରହିଛି।

Related Posts