(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ନିଜ ହକ୍ ପାଇଁ ଲଢ଼େଇ କରି ଶେଷରେ ନ୍ୟାୟ ପାଇଲେ ୬୨ ବର୍ଷୀୟା କୃଷକ। ଦୀର୍ଘ  ୬ ବର୍ଷ ଧରି ନିଜର ହକ୍ ପାଇବା ପାଇଁ ସେ ଲଢେଇ ଲଢି ଆସୁଥିଲେ ।ଆଉ ଶେଷରେ ଗୁରୁବାର ଦିନ ତାଙ୍କୁ ନ୍ୟାୟ ମିଳିଛି।  ଏକ ଅଦାଲତା ଅବମାନନା ଅପରାଧ‌ରେ ଦୋଷୀ ସାବ୍ୟସ୍ତ କରି ଗୁରୁବାର ଦିନ ଆନ୍ଧ୍ରପ୍ରଦେଶ ହାଇକୋର୍ଟ ୪ ଜଣ କାର୍ଯ୍ୟରତ ଆଇଏଏସ୍ ଅଧିକାରୀଙ୍କ ସହ ଜଣେ ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀଙ୍କୁ ଜେଲ୍‌ ଓ ଜରିମାନା ଦଣ୍ଡାଦେଶ‌ ଦେଇଛନ୍ତି।

ହାଇକୋର୍ଟଙ୍କ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇଥିବା ଏହି ଅଧିକାରୀମାନଙ୍କ ମଧ୍ୟରେ ଅଛନ୍ତି ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ଏବଂ ଏସପିଏସ୍ ନେଲ୍ଲୋର ଜିଲ୍ଲାର ପୂର୍ବତନ ଜିଲ୍ଲାପାଳ ରେବୁ ମୃତ୍ୟାଲା ରାଜୁ, ପୂର୍ବତନ ଜିଲ୍ଲାପାଳ ଏମବି ଶେଷଗିରି ବାବୁ, ଏସପିଏସ୍ ନେଲୋର ଜିଲ୍ଲାର ଜିଲ୍ଲାପାଳ କେବିଏନ୍ ଚକ୍ରଧର, ପ୍ରମୁଖ ଅର୍ଥ ସଚିବ ରମଶେର ସିଂହ ରାୱତ ଏବଂ ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ମନମୋହନ ସିଂହ ।

ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ମନମୋହନ ସିଂହଙ୍କୁ ୪ ସପ୍ତାହ ଜେଲ୍‌ ଦଣ୍ଡ ସାଙ୍ଗକୁ ୧୦୦୦ ଟଙ୍କା ଜରିମାନା, ଅର୍ଥ ବିଭାଗର ପ୍ରମୁଖ ସଚିବ ଏସ୍‌ଏସ୍‌ ରାୱତ୍‌ଙ୍କ ଏକ ମାସ ଜେଲ୍‌ ଦଣ୍ଡ ଓ ୨୦୦୦ ଟଙ୍କା ଜରିମାନା ଦେବା ପାଇଁ ଅଦାଲତ ନିର୍ଦେଶ‌ ଦେଇଛନ୍ତି। ଜରିମାନା ନ ଦେଇ ପାରିଲେ ଜେଲ୍‌ ଦଣ୍ଡାଦେଶ ଆଉ ସପ୍ତାହେ ବୃଦ୍ଧି ପାଇବ। ନେଲୋର୍‌ ଜିଲ୍ଲାପାଳ  ରେଭୁ ମୁତ୍ୟାଲା ରାଜୁଙ୍କୁ ଦୁଇ ସପ୍ତାହ ଜେଲ୍‌ ଏବଂ ୧୦୦୦ ଟଙ୍କା ଜରିମାନା, ପୂର୍ବରୁ ନେଲୋର୍‌ ଜିଲ୍ଲାର ଜିଲ୍ଲାପାଳ ଥିବା କେଏନ୍‌ଭି ଚକ୍ରଧର ଏବଂ ଏମ୍‌ଭି ଶେଷଗିରି ବାବୁଙ୍କ ଉପରେ ୨୦୦୦ ଟଙ୍କା ଲେଖାଏଁ ଜରିମାନା କରାଯାଇଛି। ଜରିମାନା ନ ଦେଲେ ସେମାନଙ୍କୁ ଗୋଟିଏ ସପ୍ତାହ ଜେଲ୍‌ଦଣ୍ଡ ଭୋଗିବାକୁ ପଡ଼ିବ।

ମାମଲା କଣ ? 

‘ନ୍ୟାସ୍‌ନାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଣ୍ଟାଲି ହ୍ୟାଣ୍ଡିକେପ୍‌ଡ୍‌’ ନିର୍ମାଣ ନିମନ୍ତେ ରାଜ୍ୟ ସରକାର ୬୨ ବର୍ଷୀୟା ଚାଷୀ ସବିଥ୍ରମ୍ମାଙ୍କ ଜମି ଅଧିଗ୍ରହଣ କରିଥିଲେ ବୋଲି ସବିଥ୍ରମ୍ମା ୨୦୧୭ରେ ଦାଏର କରିଥିବା ଏକ ପିଟିସନ୍‌ରେ ଉଲ୍ଲେଖ କରିଥିଲେ। ମାମଲାର ବିଚାର କରିବା ପରେ ଅଦାଲତ ୩ ମାସ ମଧ୍ୟରେ ତାଙ୍କୁ କ୍ଷତିପୂରଣ ସରକାର ଘୋଷଣା କରିଥିବା ଅନ୍ୟାନ୍ୟ ସହାୟତା ପ୍ରଦାନ କରିବା ଲାଗି ସରକାରଙ୍କୁ ଆଦେଶ ଦେଇଥିଲେ । 

ତାଙ୍କୁ କୌଣସି କ୍ଷତିପୂରଣ ନ ମିଳିବାରୁ, ୨୦୧୮ରେ ସେ ଅଦାଲତ ଅବମାନନା ପିଟିସନ୍ ଦାଏର କରିଥିଲେ। ଫଳତଃ, ଅଦାଲତ ପ୍ରତିବାଦୀମାନଙ୍କୁ ନୋଟିସ୍‌ ଜାରି କରିବା ପରେ ସେମାନେ ସତ୍ୟପାଠ ଦାଖରିଥିଲେ। ଶେଷରେ ପ୍ରାୟ ୩ ବର୍ଷ ବିଳମ୍ବରେ ଅର୍ଥାତ୍‌, ୨୦୨୧ ମାର୍ଚ୍ଚ ମାସରେ କ୍ଷତିପୂରଣ ରାଶି ତାଙ୍କୁ ଦିଆଯାଇଥିଲା। ୬୨ ବର୍ଷୀୟ ମହିଳାଙ୍କୁ କ୍ଷତିପୂରଣ ମିଳିବାରେ ବିଳମ୍ବ ପାଇଁ ଅଦାଲତ ଏହି ୫ଜଣ ‘ଆଇଏଏସ୍‌’ ଅଧିକାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଅଦାଲତ ଖର୍ଚ ବାବଦକୁ ମଧ୍ୟ ଆବେଦନକାରିଣୀଙ୍କୁ ୧ ଲକ୍ଷ ଟଙ୍କା ଦେବା ପାଇଁ ଅଦାଲତ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। କିନ୍ତୁ, ସରକାରୀ ଅଧିକାରୀମାନଙ୍କ ଅନୁରୋଧକ୍ରମେ ବିଚାରପତି ଦେବାନନ୍ଦ ଦଣ୍ଡାଦେଶକୁ ୪ ସପ୍ତାହକୁ ହ୍ରାସ କରିଛନ୍ତି।