ସାମାନ୍ୟ ଝଗଡ଼ାରୁ ସାଙ୍ଗକୁ ହତ୍ୟା କଲା ସାଙ୍ଗ ! ବେଳାଭୂମିରୁ ଉଦ୍ଧାର ହେଲା ମୃତଦେହ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ସାଙ୍ଗକୁ ମାରିଦେଲେ ସାଙ୍ଗ ! ପୁରୀରୁ ଆସିଛି ଏମିତି ଏକ ଅଭିଯୋଗ। ପୁରୀ ବେଳାଭୂମିରେ ଜଣେ ନାବାଳକକୁ ହତ୍ୟା ପରେ ମୃତଦେହ ଫିଙ୍ଗି ହତ୍ୟାକାରୀ ଫେରାର୍‌ ହୋଇ ଯାଇଛନ୍ତି । ମୃତ ନାବାଳକ ଜଣକ ହେଉଛନ୍ତି ବଳିଆପଣ୍ଡା ବସ୍ତିର ଦୀନବନ୍ଧୁ ସାହୁଙ୍କ ପୁଅ ଶୁଭମ୍‌ ସାହୁ, ବୟସ ହେଉଛି ୧୬ ବର୍ଷ। 

ଅଭିଯୋଗ ଅନୁସାରେ, ଏହି ରବିବାର ସକାଳୁ ଶୁଭମ୍‌ ହଠାତ୍ ଘରୁ କେଉଁଆଡେ ଚାଲି ଯାଇଥିଲେ । ପରିବାର ଲୋକେ ଶୁଭମଙ୍କୁ ବହୁ ଖୋଜାଖୋଜି ପରେ ମଧ୍ୟ ଖୋଜି ପାଇ ନଥିଲେ। ତେବେ ପୁଅକୁ ଖୋଜି ନପାଇବାରୁ ବାପା ଦୀନବନ୍ଧୁ ବଳିଆପଣ୍ଡା ଥାନାରେ ଅପହରଣ ମାମଲା ଦାଏର କରିଥିଲେ । ଦୀନବନ୍ଧୁଙ୍କ ଅଭିଯୋଗ ଆଧାରରେ ପୁଲିସ ଦଫା ୩୬୩ ବଳରେ ଅପହରଣ ମାମଲା ରୁଜୁ କରିଥିଲା । ଏହା ପରେ ସୋମବାର ସକାଳେ ହୋଟେଲ୍‌ ଶୁଭ୍‌ ପ୍ୟାଲେସ୍‌ ସମ୍ମୁଖ ବେଳାଭୂମିରେ ଶୁଭମର ମୃତ ଶରୀର ଠାବ ହୋଇଥିଲା। ଏହି ଖବର ପାଇବା ପରେ ପରିବାର ଲୋକେ ଶୁଭମ୍‌କୁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଡାକ୍ତର ସେଠାରେ ଶୁଭମଙ୍କୁ ମୃତ ଘୋଷଣା କରିଥିଲେ । ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରିଛି ପୋଲିସ। 

ଶୁଭମଙ୍କ ବାପା ଅଭିଯୋଗ କରିଛନ୍ତି ଯେ, ତାଙ୍କ ପୁଅକୁ କେହି ହତ୍ୟା କରି ବେଳାଭୂମିରେ ଫିଙ୍ଗି ଦେଇଛନ୍ତି । ସେ କହିଛନ୍ତି ଯେ, କିଛି ସାଙ୍ଗ ମାନଙ୍କ ସହ ଶୁଭମ୍‌ର ଝଗଡ଼ା ହୋଇଥିଲା। ତେଣୁ ତାଙ୍କୁ କେହି ହତ୍ୟା କରିଥିବା ନେଇ ସେ ମାମଲା ଦାଏର କରିଥିଲେ । ପୁଲିସ ଦଫା ୩୦୨ ଓ ୩୪ ଆଇପିସି ବଳରେ ହତ୍ୟା ମାମଲା (୧୪୫/୨୧) ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ବୋଲି ଆଇଆଇସି କୁଳମଣି ସେଠୀ ସୂଚନା ଦେଇଛନ୍ତି । 

Related Posts