(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ବହୁ ଚର୍ଚ୍ଚିତ ମାନବବାଦ ସଂଗଠନର ମୁଖ୍ୟ ମାନସ ଦାସ ଘରେ ଚଢାଉ । ଭୁବନେଶ୍ୱର ସ୍ଥିତ ଘରେ ସହିଦ ନଗର ପୋଲିସ ସହ ଖୋର୍ଦ୍ଧା ପୋଲିସର ରେଡ୍ । ଖୋର୍ଦ୍ଧା ପୋଲିସ୍ ଟିମ୍ ତାଙ୍କ ଘରେ ପହଞ୍ଚି ଚଢଉ କରିଛି।
ସୂଚନାଯୋଗ୍ୟ ଯେ ଗତ କିଛି ଦିନ ତଳେ ହତ୍ୟା, ଧମକ, ଅପହରଣ ମାମଲାରେ ତଥାକଥିତ ଗୁରୁଜୀ ମାନସ ଦାସଙ୍କୁ ତାଙ୍କ ଘରୁ ଗିରଫ କରିଥିଲା ପୋଲିସ। ତାଙ୍କ ବିରୋଧରେ ଅଧିକ ତଥ୍ୟ ହାସଲ କରିବା ପାଇଁ ତଦନ୍ତ କରାଯାଉଛି। ଏହି କ୍ରମରେ ଆଜି ଭୁବନେଶ୍ୱର ସ୍ଥିତ ତାଙ୍କ ଘରେ ପୁଲିସ ଚଢାଉ କରିଛି। ପୁଲିସ ଏଠାରୁ କିଛି ତଥ୍ୟ ହାସଲ କରିଥିବା ନେଇ ସୂଚନା ମିଳିଛି। ବିଭିନ୍ନ ପୋଷ୍ଟର, ବ୍ୟାନର ସାଙ୍ଗକୁ ମାନବବାଦ ସଂଗଠନରେ ମାନସ ଦାସଙ୍କ ଭୂମିକା ସମ୍ପର୍କରେ କିଛି ଠୋସ୍ ପ୍ରମାଣ ଯୋଗାଡ଼ କରୁଛି ପୋଲିିସ୍।
ଉଲ୍ଲେଖଯୋଗ୍ୟ ଯେ, ସତ୍ୟବ୍ରତ ନାଏକ ହତ୍ୟା ମାମଲାରେ ଅଗଷ୍ଟ ୩ରେ ଅଭିମାନପୁରର ବସନ୍ତ ନାଏକ ମାମଲା ଦାୟର କରିଥିଲେ। ଏହି ଏତଲା ଆଧାରରେ ପୋଲିସ ମାନସ ଦାସ ଓ ତାଙ୍କ ପୁଅ ମନୋରଞ୍ଜନ ଦାସଙ୍କୁ ତାଙ୍କ ଘରୁ ଉଠାଇ ନେଇଥିଲା।
ଏହି ହତ୍ୟାକାଣ୍ଡ ମାମଲାରେ ପୂର୍ବରୁ ୬ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ତଥାକଥିତ ଗୁରୁଜୀ ମାନସ ଦାସଙ୍କ ବିରୋଧରେ ହତ୍ୟା, ହତ୍ୟା ଉଦ୍ୟମ, ଧମକ ଦେବା ପରି ବହୁ ସଂଗୀନ ଅଭିଯୋଗ ରହିଥିଲା। ମାନସଙ୍କ ନାଁରେ ଅପହରଣ, ହତ୍ୟା, ପ୍ରମାଣ ନଷ୍ଟ ଭଳି ଅଭିଯୋଗରେ ପୋଲିସ ଆଇପିସିର ଧାରା ୩୦୨, ୩୬୩, ୩୬୪, ୨୦୧, ୧୨୦ବି, ୩୪ ଦଫା ଲଗାଇଛି । ତାଙ୍କ ନାଁରେ ଥିବା ଅନ୍ୟ ମାମଲା ଗୁଡ଼ିକର ତଦନ୍ତ ଚାଲିଥିବା ନେଇ IG ସୂଚନା ଦେଇଛନ୍ତି ।
ଅନ୍ୟପକ୍ଷରେ ମାନବବାଦ ସଂଗଠନ ମୁଖ୍ୟ ମାନସ ଦାସଙ୍କ ପୁଅ ମନୋରଂଜନ ଦାସଙ୍କୁ କଡ଼ବ ଗାଁର ବାପା, ପୁଅଙ୍କୁ ନିର୍ଦ୍ଧୁମ ମାଡ଼ ମାରିଥିବା ମାମଲାରେ ପୋଲିସ ଗିରଫ କରିଛି । ମନୋରଞ୍ଜନ ଦାସଙ୍କ ବିରୋଧରେ ବେଗୁନିଆ ଥାନାରେ ଅଭିଯୋଗ ହୋଇଥିଲା । ସୂଚନା ମୁତାବକ ପୋଲିସ ତଦନ୍ତ ସମୟରେ ମାନବବାଦ ସଂଗଠନର ବିବାଦୀୟ ଶପଥପାଠ ସାମନାକୁ ଆସିଥିଲା। ଯେଉଁଥିରେ ଜାତିଆଣ ଭେଦଭାବ ସୃଷ୍ଟି କରୁଥିବା ଏକ ଲିଫ୍ଲେଟ୍ ମିଳିଥିଲା ।





