ମାନବବାଦ ସଂଗଠନ ମୁଖ୍ୟ ମାନସ ଦାସଙ୍କ ଗିରଫ ଦାବିରେ ଆଦିବାସୀ ସଂଘର ବିକ୍ଷୋଭ ପ୍ରଦର୍ଶନ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ବଢୁଛି ମାନବବାଦ ସଂଗଠନ ମୁଖ୍ୟ ମାନସ ଦାସଙ୍କ ଅଡୁଆ। ମାନସ ଦାସଙ୍କ ଗିରଫ ଦାବିରେ ଆଜି ଖୋର୍ଦ୍ଧା ଏସ୍‌ପିଙ୍କ କାର୍ଯ୍ୟାଳୟ ଆଗରେ ୧୧ଟି ଆଦିବାସୀ ସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଗତ କିଛିଦିନ ହେବ ମାନସ ଦାସଙ୍କ ନାଁରେ ଅମାନବୀୟ କାର୍ଯ୍ୟର ଗୋଟିଏ ପରେ ଗୋଟିଏ ଅଭିଯୋଗ ସାମ୍ନାକୁ ଆସିବାରେ ଲାଗିଛି । ମାନବବାଦ ସଙ୍ଗଠନର ଅତ୍ୟାଚାରର ପ୍ରକୋପ ଏତେ ଭୟଙ୍କର ଯେ ପ୍ରାୟ ୮ ବର୍ଷ ହେଲାଣି ଖୋର୍ଦ୍ଧା ସଦର ଥାନା ଡାଳତୋଳା ଆଦିବାସୀ ସାହିର ୬ ପରିବାର ଗାଁ ଛାଡି ଏକ ଜଙ୍ଗଲ ମଧ୍ୟରେ ରହୁଛନ୍ତି।

ଆଜି ଆଦିବାସୀ ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି ଯେ , ମାନବବାଦ ସଙ୍ଗଠନର ଭୟରେ ଆଦିବାସୀ ସାହି ଛାଡି ଏହି ୬ ପରିବାର ଏବେ ଡାଳତୋଳା ରାସ୍ତାକଡରେ ଏକ ସରକାରୀ ଜାଗାର ଜଙ୍ଗଲ ଭିତରେ ରହୁଛନ୍ତି। ଏହି ସଂଗଠନର ଅତ୍ୟାଚାରର ଶିକାର ହୋଇଥିବା ସତ୍ତ୍ୱେ ନୀରିହ ଆଦିବାସୀମାନେ  ସଂଗଠନର ମୁଖିଆ ତଥା ଗୁରୁଜୀ ମାନସ ଦାସଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିବା ପାଇଁ ସାହାସ କରି ପାରୁ ନ ଥିଲେ। କିନ୍ତୁ ଏବେ ମାନସ ଦାସଙ୍କ କଳା କାରନାମାର ସାରା ରାଜ୍ୟବାସୀଙ୍କ ସାମ୍ନାରେ ପର୍ଦ୍ଦାଫାଶ ହେବା ପରେ ବିରୋଧ ସୃଷ୍ଟି ହୋଇଛି। 

ଆଦିବାସୀ ସଂଘର ସଦସ୍ୟମାନେ ଅଭିଯୋଗ କରିଛନ୍ତି ଯେ  ୨୦୧୪ରେ ଏକ ହତ୍ୟା ମାମଲାରେ ଫସାଇ ଏମାନଙ୍କ ମଧ୍ୟରୁ କିଛି ବ୍ୟକ୍ତିଙ୍କୁ ଜେଲ୍ ବି ପଠାଇ ଦିଆଯାଇଛି । ତେବେ ଅତ୍ୟାଚାର ଏତିକିରେ ସମାପ୍ତ ହୋଇନଥିଲା। ଏମାନଙ୍କ ଠାରୁ ଲଗାତାର ଲୁଟପାଟ ସହ  ସେମାନଙ୍କୁ ମାଡ ମଧ୍ୟ ମରାଯାଉଥିଲା। ଆଉ ଗାଁ ଲୋକେ ନିର୍ଯାତନା ସହି ନପାରି ଗାଁ ଛାଡ଼ି ଜଙ୍ଗଲରେ ରହିବାକୁ ବାଧ୍ୟ ହୋଇଥିଲେ ଏହି ୬ ଆଦିବାସୀ ପରିବାର। ଏହି ଆତ୍ମଘୋଷିତ ଗୁରୁଜୀ ମାନସ ଦାସଙ୍କ ଆଡ୍ଡା ଥିଲା ବେଗୁନିଆ ଅଞ୍ଚଳ। ତାଙ୍କ ଟାର୍ଗେଟରେ ଥିଲେ ନିରୀହ ଆଦିବାସୀ । ସଂଗଠନରେ ସାମିଲ କରି ଜଣ ପିଛା ସଦସ୍ୟତା ଦେୟ ୩୦ ଟଙ୍କା ରଖାଯାଇଥିଲା। ଆଉ ଦେୟ ପୈଠ ନ କଲେ ବୈଠକକୁ ବାରଣ କରାଯାଉଥିଲା। 

ଗତ କିଛିଦିନ ତଳେ ସଙ୍ଗଠନର କିଛି କର୍ମୀ ଖୋର୍ଦ୍ଧା ବୋଲଗଡ଼ର କଡ଼ବ ଗାଁରେ ବାପ, ପୁଅଙ୍କୁ ମରଣାନ୍ତକ ଆକ୍ରମଣ କରୁଥିବାର ଭିଡିଓ ସାମ୍ନାକୁ ଆସିବା ପରେ ଚର୍ଚ୍ଚା ଜୋର ଧରିଥିଲା। ଅନେକ ଲୋକ ମାନସ ଦାସଙ୍କ ବିରୋଧରେ ମୁହଁ ଖୋଲିଥିଲେ। ଅନ୍ୟପକ୍ଷରେ ତଥାକଥିତ ଗୁରୁଜୀ ମାନସ ଦାସ ବୋଲଗଡ କଡବ ଗାଁରେ ବାପାପୁଅଙ୍କୁ ପିଟିବା ଘଟଣାକୁ ଅସ୍ୱୀକାର କରିଛନ୍ତି । ଏପରିକି ତାଙ୍କ ସଂଗଠନ କେବଳ ଓଡ଼ିଶାରେ ନୁହେଁ ଆସାମ‌ରେ ମଧ୍ୟ ଅଛି ବୋଲି ସେ କହିଛନ୍ତି। ତାଙ୍କ ବିରୋଧରେ ତଦନ୍ତ କରାଯାଉ ବୋଲି ସେ କହିଛନ୍ତି । 

Related Posts