ମାନବବାଦୀ ସଙ୍ଗଠନର ଅଜବ ନିୟମ : କନ୍ୟା ଶଙ୍ଖା-ଶାଢୀ ପିନ୍ଧିଥିବାରୁ ପଡ଼ି ପାରିଲାନି ହାତଗଣ୍ଠି , ଫେରିଗଲା ବର

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର :  ଖୋର୍ଦ୍ଧା ବେଗୁନିଆରେ ବାପ, ପୁଅଙ୍କୁ ମାନବବାଦୀ ସଂଗଠନର ଅକଥନୀୟ ଅତ୍ୟାଚାରର ଭିଡିଓ ସାମ୍ନାକୁ ଆସିବା ପରେ ସଂଗଠନର ମୁଖ୍ୟ ମାନସ ଦାସ ବିରୋଧରେ ଅଭିଯୋଗ ଫର୍ଦ୍ଦ ବଢ଼ିବାରେ ଲାଗିଛି । ସାମାଜିକ ସୁରକ୍ଷା ନ୍ୟାୟ ମଂଚ ନାଁରେ ସଂଗଠନ ଗଢ଼ି ଏହାର ସଦସ୍ୟଙ୍କ ଜରିଆରେ କିଭଳି ଆତଙ୍କ ରାଜ ଚଳାଇଥିଲା ମାନଓ ଦାସ ତାର ଗୋଟିଏ ପରେ ଗୋଟିଏ କାହାଣୀ ସାମ୍ନାକୁ ଆସୁଛି । 

ଅଭିଯୋଗ ଅନୁସାରେ, ସଙ୍ଗଠନର ଆତଙ୍କ ଏମିତି ଯେ ବାହାଘର ବି ହୋଇପାରିଲାନି । ବିବାହ ନକରି ବର ଚାଲିଗଲା। ଏମତି ଏକ ଘଟଣା ସାମ୍ନାକୁ ଆସିଛି ଖୋର୍ଦ୍ଧା ବେଗୁନିଆ କୁଶପପଲ୍ଲା ଗାଁରୁ । ଅଭିଯୋଗ ଅନୁସାରେ ବେଦୀ ବନ୍ଧା ସରିଥିଲା , କନ୍ୟା ଘର ଲୋକଙ୍କ ପ୍ରସ୍ତୁତ ବି ଶେଷ ହୋଇଥିଲା । ବର କନ୍ୟାଙ୍କ ହାତଗଣ୍ଠି ପଡ଼ିଥିଲେ ବାହାଘର ସରିଥାନ୍ତା । ତେବେ ବିଡମ୍ବନାର ବିଷୟ ହେଉଛି ବର ଆସିଲା କିନ୍ତୁ ହାତଗଣ୍ଠି ପଡ଼ିଲାନି , ବିବାହ ନକରି ବର ଘରକୁ ଫେରିଗଲା । କାରଣ ବାହଘର ଏଠି ମାନବବାଦୀ ସଂଗଠନର ନିୟମ ମୁତାବକ ହେଉନଥିଲା। 

ତଥାକଥିତ ଗୁରୁଜୀ ମାନସ ଦାସଙ୍କ ମାନବବାଦ ସଙ୍ଗଠନର ନିୟମ ଥିଲା, କନ୍ୟା ଶଙ୍ଖା, ଶାଢୀ ପିନ୍ଧିବା ବଦଳରେ ଧଳା ଲୁଗା ପିନ୍ଧିବେ, ମଥାରେ ସିନ୍ଦୁର ପରିବର୍ତ୍ତେ ଚନ୍ଦନ ଲଗାଇବେ । କିନ୍ତୁ କନ୍ୟା ପିନ୍ଧିଥିଲେ ଶଙ୍ଖା, ଶାଢୀ । ବେଦୀ ବନ୍ଧା ହୋଇଥିଲା, ବେଦୀ ଉପରେ ଚିତା ବି ପଡ଼ିଥିଲା । ଆଉ ମାନବବାଦ ସଙ୍ଗଠନର ନିୟମ ବିରୋଧରେ ବିବାହ କାର୍ଯ୍ୟକ୍ରମ ଆୟୋଜନ ହୋଇଥିବା କାରଣରୁ ବର ଘର ଲୋକେ ରାଗି ଯାଇଥିଲେ । 

ତେଣୁ ବିବାହ ହୋଇପାରିନଥିଲା । ମିଳିଥିବା ସୂଚନା ମୁତାବକ, ବର ଘର ଲୋକେ ନିର୍ବନ୍ଧ ବେଳେ ଶଙ୍ଖା ସାଢୀ ନେଇ ଆସିଥିଲେ । କିନ୍ତୁ ବାହାଘର ଦିନ ବିନା ବାଜାରେ ଆସିଥିଲେ । ବିବାହ ହୋଇନପାରିବାରୁ ମଙ୍ଗୁଳା ରହିଥିଲା କନ୍ୟା । ଏବଂ ୧୫ ଦିନ ପରେ ଅନ୍ୟ ସ୍ଥାନରେ କନ୍ଯାର ବିବାହ ହୋଇଥିଲା ।

Related Posts