ଆସନ୍ତା ମାର୍ଚ୍ଚ ମାସରେ ହୋଇପାରେ ଯୁକ୍ତ ୨ ପରୀକ୍ଷା । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ତାରିଖ ଧାର୍ଯ୍ୟ ହୋଇନଥିଲେ ମଧ୍ୟ ଯୁକ୍ତ ୨ କଲେଜ ତଥା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷମାନଙ୍କୁ ଲେଖାଯାଇଥିବା ଚିଠିରୁ ଏଭଳି କିଛି ସୂଚନା ମିଳିଛି । କଲେଜ ଅଧ୍ୟକ୍ଷମାନଙ୍କୁ ଲେଖାଯାଇଥିବା ଚିଠିରେ କୁହାଯାଇଛି ଯେ ଛାତ୍ରଛାତ୍ରୀଙ୍କ ତୃତୀୟ ତ୍ରେମାସିକ ପରୀକ୍ଷା ଜାନୁଆରୀ ୧୦ ସୁଦ୍ଧା ଶେଷ କରନ୍ତୁ ।
ଏଥିସହିତ ଛାତ୍ରଛାତ୍ରୀଙ୍କ ସମସ୍ତ ତୈମାସିକ ପରୀକ୍ଷାର ମାର୍କ ଗୁଡିକୁ ସ୍ୱତନ୍ତ୍ର ଟାବୁଲେସନ ରେଜିଷ୍ଟରରେ ଉଲ୍ଲେଖ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଦ୍ୱାଦଶ ଶ୍ରେଣୀର ଅଧିକାଂଶ ଛାତ୍ରଛାତ୍ରୀଙ୍କ ପଞ୍ଜୀକରଣ ନମ୍ବର ଦିଆଯାଇ ସାରିଛି । ବାକି ଛାତ୍ରଛାତ୍ରୀଙ୍କୁ ପଞ୍ଜୀକରଣ ନମ୍ବର ପ୍ରଦାନ କରାଯିବ । ଏଥିପାଇଁ ଖୁବଶୀଘ୍ର ପରିଷଦ ପକ୍ଷରୁ ଏକ ଲିଙ୍କ୍ ପ୍ରଦାନ କରାଯିବ । ଏହି ଲିଙ୍କ୍ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ପରୀକ୍ଷା ମାର୍କ ଅପଲୋଡ କରାଯିବ । ପରିଷଦର ଏଭଳି ପ୍ରସ୍ତୁତିକୁ ନେଇ ୨୦୨୨ ମାର୍ଚ୍ଚରେ ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା ହୋଇପାରେ ବୋଲି କୁହାଯାଉଛି । ଏନେଇ ପରବର୍ତ୍ତୀ ସମୟରେ ସୂଚନା ଦିଆଯିବ ବୋଲି ପରିଷଦ ପକ୍ଷରୁ କଲେଜ ଅଧ୍ୟକ୍ଷମାନଙ୍କ କୁହାଯାଇଛି ।
