ରାହୁଲ ଗାନ୍ଧିଙ୍କୁ ନେଇ ମନ୍ତବ୍ୟ ଦେଲେ ଶଶୀ ଥରୁର କହିଲେ ଜି-୨୩ରେ ସ୍ଵାକ୍ଷର କରିବା ଥିଲା ଭିନ୍ନ ଉଦ୍ଦେଶ୍ୟ

ସତ୍ୟପାଠ 24/12 ନୂଆଦିଲ୍ଲୀ: ଉତ୍ତରାଖଣ୍ଡରେ କଂଗ୍ରେସର ସଙ୍କଟ ଘନଉଥିବା ବେଳେ କଂଗ୍ରେସ ସାଂସଦ ଶଶୀ ଥରୁର କହିଛନ୍ତି ଯେ ଜି୨୩ ଆଜି ଭିନ୍ନ ରୂପରେ ଅଛି, କିନ୍ତୁ ତାହାର ଉଦ୍ଦେଶ୍ୟ ଅଲଗା ଥିଲା। ଥରୁର କହିଛନ୍ତି ଯେ, ଜି -୨୩ କଂଗ୍ରେସର ୨୩ ଜଣ ବିଦ୍ରୋହୀ ନେତାଙ୍କ ଗୋଷ୍ଠୀ ବୋଲି ଯାହା କୁହାଯାଉଛି ତାହା ଆଦୌ ଠିକ୍‌ ନୁହେଁ। ବାସ୍ତବରେ ଜି-୨୩ ହେଉଛି ଗଣମାଧ୍ୟମର ଏକ ସୃଷ୍ଟି କାରଣ ଦଳ ହାଇକମାଣ୍ଡ୍‌ ସୋନିଆ ଗାନ୍ଧିଙ୍କ ନିକଟକୁ ପଠାଯାଇଥିବା ଚିଠିରେ ୨୩ ଜଣ ଲୋକ ଦସ୍ତଖତ କରିଥିଲେ। ଦସ୍ତଖତକାରୀଙ୍କ ମଧ୍ୟରେ ଅଧିକ ଲୋକ ରହିପାରିଥାନ୍ତେ କିନ୍ତୁ ଲକ୍‌ଡାଉନ୍‌ ହେତୁ କେବଳ ୨୩ ଜଣ ନେତା ଉପଲବ୍ଧ ହୋଇଥିଲେ। ଥରୁର କହିଛନ୍ତି, ସେ ଏଥିରେ ଦସ୍ତଖତ କରିଥିଲେ କାରଣ ଏଥିରେ କିଛି ବ୍ୟତିକ୍ରମ ନ ଥିଲା। ଚିଠିରେ କୁହାଯାଇଛି ଯେ କଂଗ୍ରେସ ନିଜକୁ ଅଧିକ ଗଣତାନ୍ତ୍ରିକ କରିବା ଉଚିତ, ଦଳର ସଂସଦୀୟ ବୋର୍ଡକୁ ପୁନର୍ଜୀବିତ କରିବା ଉଚିତ ଏବଂ କାର୍ଯ୍ୟକାରୀ କମିଟିର ଆସନଗୁଡ଼ିକୁ ନିର୍ବାଚନ ଦ୍ବାରା ପୂରଣ କରିବା ଉଚିତ ଯାହା ବର୍ତ୍ତମାନ ମନୋନୟନରେ ପୂରଣ ହେଉଛି।


ତୃଣମୂଳ ସ୍ତରରୁ ଦଳକୁ ପୁନର୍ଜୀବିତ କରାଯିବା ଉଚିତ ବୋଲି ଥରୁର ତାଙ୍କ ନୂତନ ପୁସ୍ତକର ଉନ୍ମୋଚନ ଉତ୍ସବରେ କହିଛନ୍ତି। ସମସ୍ତ ୨୩ ଜଣ ନେତା କେବେ ଏକାଠି ହୋଇନାହାନ୍ତି ବୋଲି ଥରୁର ଦାବି କରିଛନ୍ତି। ଉକ୍ତ ଚିଠିରେ ଯେଉଁମାନେ ସ୍ବାକ୍ଷର କରିଥିଲେ ସେମାନେ କଂଗ୍ରେସର ବଡ଼ ବଡ଼ ପୁରୁଖା ନେତା। ଦଳର ପୁନରୁଦ୍ଧାର ପାଇଁ ଦାବି କରି ସେମାନେ ଗଠନମୂଳକ ମତ ଦେଇ ଏକ ଚିଠି ଲେଖିବାକୁ ଯେ ଅପରାଧ ମନେକରାଯିବ ତାହା ସେ ଭାବି ନ ଥିଲେ ବୋଲି ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ଅଗଷ୍ଟ ୨୦୨୦ରେ ୨୩ ଜଣ ବରିଷ୍ଠ କଂଗ୍ରେସ ନେତା ସୋନିଆ ଗାନ୍ଧିଙ୍କୁ ଏକ ଚିଠି ଲେଖି ଦଳର ଆମୂଳ ପରିବର୍ତ୍ତନ କରିବାକୁ ଦାବି କରିଥିଲେ। ଏହି ୨୩ ଜଣ ନେତାଙ୍କ ମଧ୍ୟରେ ଥିଲେ- ଗୁଲାମ ନବି ଆଜାଦ, କପିଲ ସିବଲ, ଶଶୀ ଥରୁର, ମନିଷ ତିୱାରି, ଆନନ୍ଦ ଶର୍ମା, ପିଜେ କୁରିଏନ, ରେଣୁକା ଚୌଧରୀ, ମିଲିନ୍ଦ ଦେଓରା, ମୁକୁଲ ବାସନିକ, ଜିତିନ ପ୍ରସାଦ (ବର୍ତ୍ତମାନ ବିଜେପିରେ), ଭୂପେନ୍ଦର ସିଂ ହୁଡା, ରାଜିନ୍ଦର କୌର ଭଟ୍ଟଲ , ବୀରାପ୍ପା ମୋଇଲି, ପୃଥ୍ବୀରାଜ ଚୌହାନ, ଅଜୟ ସିଂ, ରାଜ ବବ୍ବର, ଅରବିନ୍ଦ ସିଂ ଲଭଲି, କୌଲ ସିଂ ଠାକୁର, କୁଲଦୀପ ଶର୍ମା, ଯୋଗାନନ୍ଦ ଶାସ୍ତ୍ରୀ, ସନ୍ଦୀପ ଦୀକ୍ଷିତ ଓ ବିବେକ ଥାଙ୍କା। କଂଗ୍ରେସର ଏକ ନିର୍ବାଚିତ ଅଧ୍ୟକ୍ଷ ରହିବା ପ୍ରସଙ୍ଗରେ ଥରୁର କହିଛନ୍ତି ଯେ, ଗାନ୍ଧି-ନେହରୁ ପରିବାରର ବର୍ତ୍ତମାନ ଯିଏ ଉତ୍ତରାଧିକାରୀ ଅଛନ୍ତି, ସିଏ ବି ନିର୍ବାଚିତ ହୋଇପାରନ୍ତି। ରାହୁଲ ଗାନ୍ଧି କଂଗ୍ରେସର ଅନ୍ୟ ଯେ କୌଣସି ପ୍ରତିଦ୍ବନ୍ଦ୍ବୀଙ୍କ ଅପେକ୍ଷା ନିର୍ବାଚିତ ହେବା ସମ୍ଭାବନା ଅଧିକ ବୋଲି ସେ କହିଛନ୍ତି।

Related Posts