ଖୋଲିବ ନାହିଁ ପ୍ରଥମ ଶ୍ରେଣୀ ଠାରୁ ପଞ୍ଚମ ଶ୍ରେଣୀ | ରାଜ୍ୟ ସରକାର ବିଦ୍ୟାଳୟ ଖୋଲିବା ନେଇ ନିଷ୍ପତି ନେଇଥିବା ବେଳେ, କିନ୍ତୁ ଏହି ନିସ୍ପତିକୁ ସ୍ଥଗିତ ରଖିଛନ୍ତି | ପାଖାପାଖୁ ୨୩ ହଜାର ବିଦ୍ୟାଳୟ ଆସନ୍ତା ଜାନୁଆରୀ ୩ ତାରିଖ (ସୋମବାର)ଠାରୁ ଖୋଲିବାର ବନ୍ଦୋବସ୍ତ କରାଯାଉଥିଲା ଏବଂ ବାକି ୩୦୯୩ ବିଦ୍ୟାଳୟକୁ ଜାନୁଆରୀ ୧୦ ତାରିଖ ଦିନଠାରୁ ଖୋଲିଥାନ୍ତା।
ପଦାଧିକାରୀମାନେ ବିଭିନ୍ନ ସ୍କୁଲ ଗସ୍ତକରି ବିଦ୍ୟାଳୟ ସହ ଜଡ଼ିତ ବ୍ୟକ୍ତିବିଶେଷମାନଙ୍କ ସହିତ ଆଲୋଚନା କରିଛନ୍ତି। ସାଂପ୍ରତିକ ସ୍ଵାସ୍ଥ୍ୟଜନିତ ପରିସ୍ଥିତି, ବିଶେଷ ଭାବରେ ବିଗତ ଦୁଇଦିନ ମଧ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଏବଂ ଇତି ମଧ୍ୟରେ ବିଭିନ୍ନ ଉଚ୍ଚ ପଦାଧିକାରୀମାନଙ୍କ ରିପୋର୍ଟକୁ ନେଇ ପିଲାମାନଙ୍କ ବୃହତ୍ତର ସ୍ଵାସ୍ଥ୍ୟଗତ ହିତକୁ ଧ୍ୟାନରେ ରଖି ରାଜ୍ୟ ସରକାର ପ୍ରଥମ ଶ୍ରେଣୀଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲାଯିବା ନିଷ୍ପତ୍ତିକୁ ସାମୟିକ ଭାବେ ସ୍ଥଗିତ ରଖିଛନ୍ତି।
କିନ୍ତୁ ଷଷ୍ଠ ଶ୍ରେଣୀଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ଯଥାବିଧ ଜାରି ରହିବ। ଆସନ୍ତା ଜାନୁଆରୀ ୫ରୁ ୮ ତାରିଖ ପର୍ଯ୍ୟନ୍ତ ୧୦ମ ଶ୍ରେଣୀର ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ସମେଟିଭ-୧ ପରୀକ୍ଷା ପୂର୍ବନିର୍ଦ୍ଧାରିତ ସୂଚୀ ଅନୁଯାୟୀ ସାମାଜିକ ଦୂରତା ଅବଲମ୍ବନ କରାଯାଇ ଯଥାବିଧ ଚାଲୁରହିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶ।





