ରାଜଧାନୀ ଭୁବନେଶ୍ୱର ବାଣୀବିହାର ସ୍ଥିତ ଡିସିପି ଅଫିସ୍ ସିଲ । ଏକାଧିକ କୋଭିଡ୍ ପଜିଟିଭ୍ ଚିହ୍ନଟ ପରେ ବିଏମସି ଅଧିକାରୀ ମାନେ ଡିସିପି ଅଫିସ୍ ସିଲ୍ କରିଛନ୍ତି । ବିଏମସି ଦକ୍ଷିଣ ପୂର୍ବ ଜୋନାଲ୍ ଡେପୁଟି କମିଶନରଙ୍କ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।
ସୂଚନାଯୋଗ୍ୟ, ରାଜ୍ୟରେ କୋଭିଡ୍ ପଜିଟିଭ୍ ଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୬୮୦ ଆକ୍ରାନ୍ତ । ଗତକାଲି ଏହି ସଂଖ୍ୟା ଥିଲା ୪୨୪ । ଦୈନିକ ସଂକ୍ରମଣ ପାଖାପାଖି ଅଢ଼େଇ ଶହ ବଢ଼ିଛି । ଆଜି ୧୮ ବର୍ଷ ଭିତରେ ୧୧୯ ଜଣ ସଂକ୍ରମିତ ହୋଇଛନ୍ତି ।
କ୍ୱାରେଣ୍ଟିନରୁ ୩୯୭ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୨୮୩ଟି । ୨୫ ଜିଲ୍ଲାରୁ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୨୬୩ ପଜିଟିଭ୍ ବାହାରିଛନ୍ତି । ସୁନ୍ଦରଗଡ଼ରୁ ୬୯, କଟକରୁ ୫୯, ସମ୍ୱଲପୁରରୁ ୪୨, ବାଲେଶ୍ୱରରୁ ୩୪, ଝାରସୁଗୁଡ଼ାରୁ ୨୫, ପୁରୀରୁ ୧୫, ବରଗଡ଼ରୁ ୧୪, ନବରଙ୍ଗପୁରରୁ ୧୩, ଗଞ୍ଜାମରୁ ଆଉ ୧୨ ଜଣ ସଂକ୍ରମିତ ହୋଇଛନ୍ତି ।
ସେପଟେ ବଢୁଥିବା ସଂକ୍ରମଣକୁ ନଜରରେ ରଖି କୋଭିଡ୍ ଗାଇଡଲାଇନ୍ କୁ କଡ଼ାକଡ଼ି କରାଯାଇଛି । ଅନ୍ୟପଟେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର କୋଭିଡ୍ ସ୍ଥିତି ସମୀକ୍ଷା କରିବେ । ମୁଖ୍ୟ ସଚିବ ଓ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ରହିବେ । ନୂତନ ଭାରିଆଣ୍ଟ୍ ଓମିକ୍ରନ ମାମଲା ମଧ୍ୟ ୩୭ରେ ପହଞ୍ଚିଛି ।





