ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ | ତେବେ ରାଜ୍ୟରେ ବଢୁଥିବା ସଂକ୍ରମଣକୁ ନେଇ ଗୁରୁତ୍ଵପୂର୍ଣ୍ଣ ବୈଠକ ଡାକିଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ | ଆଜି ଦିନ ୧୧ଟାରେ ଉଚ୍ଚସ୍ତରୀୟ ବୈଠକ ବସୁଛି । ଏଥିରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ଯୋଗଦେବେ । ରାଜ୍ୟରେ କରୋନା ସଂକ୍ରମଣ ବଢୁଛି । ଏଭଳି ସ୍ଥିତିରେ କିଭଳି ହେବ ନିର୍ବାଚନ ସେନେଇ ଆଜିର ବୈଠକରେ ନିର୍ବାଚନ ସମ୍ପର୍କିତ ଆଲୋଚନା ହେବ ।
ରାଜ୍ୟରେ ଦୈନିକ ସଂକ୍ରମଣ ଆଗକୁ ଆହୁରି ବଢ଼ିବ । ଏଭଳି ସ୍ଥିତିରେ ପଞ୍ଚାୟତ ନିର୍ବାଚନ କିଭଳି ହେବ ? ମୁଖ୍ୟ ଶାସନ ସଚିବ ଓ ସ୍ୱାସ୍ଥ୍ୟ ବିଭାଗଠାରୁ ସ୍ଥିତି ସମ୍ପର୍କରେ ଅବଗତ ହେବେ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନ । ସେହିପରି ଆସନ୍ତା ୧୦ ତାରିଖରେ ସର୍ବଦଳୀୟ ବୈଠକ ଡାକିଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ । ଏସବୁ ବୈଠକରେ ଆଲୋଚନା ପରେ ପଞ୍ଚାୟତ ନିର୍ବାଚନ ନେଇ ବଡ଼ ନିଷ୍ପତ୍ତି ହୋଇପାରେ ।
ଅନ୍ୟପଟେ ରାଜ୍ୟରେ ସଂକ୍ରମଣ ଏବେ ଉପର ମୁହାଁ ରହିଛି | ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଛନ୍ତି ୩ହଜାର ୬୭୯ ଆକ୍ରାନ୍ତ । କ୍ୱାରେଣ୍ଟିନରୁ ୨୧୪୮ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୧୫୩୧ । ୧୮ ବର୍ଷ ଭିତରେ ଆଉ ୩୮୪ ପଜିଟିଭ୍ ବାହାରିଛନ୍ତି । ୨୯ ଜିଲ୍ଲାରୁ ନୂଆ ସଂକ୍ରମିତ ବାହାରିଛନ୍ତି ।
ଖୋର୍ଦ୍ଧାରେ ଦୈନିକ ସଂକ୍ରମଣ ହଜାରେ ଟପିଛି । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୨୨୩ ପଜିଟିଭ୍ । ସୁନ୍ଦରଗଡ଼ରୁ ୫୮୨, ସମ୍ୱଲପୁରରୁ ୩୭୨, କଟକରୁ ଆଉ ୩୧୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ଝାରସୁଗୁଡ଼ାରୁ ୧୩୪, ପୁରୀରୁ ୧୦୦ ନୂଆ ଆକ୍ରାନ୍ତ ବାହାରିଛନ୍ତି । ବାକି ଜିଲ୍ଲାରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ଶହେ ଭିତରେ ରହିଛି । ମାଲକାନଗିରି ଜିଲ୍ଲାରୁ ଆଜି କେହି ସଂକ୍ରମିତ ହୋଇ ନାହାନ୍ତି ।





