ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ସାଧାରଣତନ୍ତ୍ର ଦିବସ ଅବସରରେ ସ୍ୱାଭିମାନ ଅଞ୍ଚଳରେ ଆରମ୍ଭ ହୋଇଛି ଆମ୍ବୁଲାନ୍ସ ବୋଟ ସେବା । ଗୁରୁପ୍ରିୟା ସେତୁଠାରେ ଏହି ବୋଟର ଶୁଭାରମ୍ଭ କରାଯାଇଥିବାର ସୂଚନା ମିଳିଛି । ବିଏସ୍ଏଫ୍ ଡିଆଇଜି ସଞ୍ଜୟ କୁମାର ସିଂ ଏହାର ଉଦଘାଟନ କରିଛନ୍ତି । ସେପଟେ ଏହି ବୋଟ୍ ଆମ୍ବୁଲାନ୍ସ ଦ୍ୱାରା ନଦୀ କୁଳିଆ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଯାଇ ପାରିବ । ବାଲିମେଳା ଜଳ ଭଣ୍ଡାରରେ ପୂର୍ବରୁ ମଧ୍ୟ ସରକାରଙ୍କ ତରଫରୁ ଆମ୍ବୁଲାନ୍ସ ମୋଟର ବୋଟ ଯୋଗାଇ ଦିଆଯାଇଛି । ଏନେଇ ବିଏସଏଫ ଡିଆଇଜି ସଞ୍ଜୟ କୁମାର ସିଂ କହିଛନ୍ତି, ବିଏସ୍ଏଫର ମହାନିର୍ଦ୍ଦେଶକ ଗତ ଡିସେମ୍ବରରେ ଏହି ଅଞ୍ଚଳ ଗସ୍ତ କରିଥିଲେ।

ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରି ଏଠାରେ ଅଞ୍ଚଳବାସୀଙ୍କ ନିମନ୍ତେ ଏକ ବୋଟ ଆମ୍ବୁଲାନ୍ସ ଜରୁରୀ ଥିବା ହୃଦୟଙ୍ଗମ କରିଥିଲେ। ଏହାପରେ ଏହାକୁ କାର‌୍ୟ୍ୟକାରୀ କରିବାକୁ ଯୁଦ୍ଧକାଳୀନ ଭିତ୍ତିରେ କାମ ଆରମ୍ଭ ହୋଇଥିଲା। ଏବେ ଲୋକଙ୍କ ଉଦ୍ଦେଶ୍ୟରେ ଏହାର ଶୁଭାରମ୍ଭ ହୋଇଛି।ଏହି ଆମ୍ବୁଲାନ୍ସରେ ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯିବ । ଆବଶ୍ୟକ ମେଡିସିନ, ଷ୍ଟ୍ରେଚର ସମେତ ଆବ୍ୟଶକୀୟ ମେଡିକାଲ ଇକ୍ୟୁମେଣ୍ଟ ଏହି ବୋଟରେ ରଖାଯାଇଛି ବୋଲି ବିଏସଏଫ ଡିଆଇଜି ସଞ୍ଜୟ କୁମାର ସିଂ କହିଛନ୍ତି ।