ପୁରୀ(ସତ୍ୟପାଠ ବ୍ୟୁରୋ): ନିର୍ବାଚନ ପୂର୍ବରୁ ହିଁ ପୁରୀ ସଦର ନିର୍ବାଚନ ମଣ୍ଡଳୀରେ ଫୁଟିଛି ବୋମା । ପୁରୀ ସଦର ଥାନା ଅନ୍ତର୍ଗତ କାଶୀହରିପୁରର ବସନ୍ତେଇ ଠାକୁରାଣୀ ମନ୍ଦିର ନିକଟରେ ବୋମା ଫୁଟିଥିବାର ସୂଚନା ମିଳିଛି । ସେପଟେ ଚଳିତ ନିର୍ବାଚନରେ କାଶୀହରିପୁର ପଞ୍ଚାୟତରୁ ସରପଞ୍ଚ ପାର୍ଥୀ ହୋଇଥିବା ମୁକ୍ତିକାନ୍ତ ପଣ୍ଡାଙ୍କ ଘର ପଛପଟେ ଏହି ବୋମା ଫୁଟିଛି। କେହି ଆକ୍ରୋଶମୂଳକ ଭାବେ ତାଙ୍କ ଘର ପଛପଟେ ବୋମାମାଡ଼ କରିଥିବାର ଅନୁମାନ କରାଯାଉଛି ।

ଦୁଇଟି ବୋମା ଫୁଟି ସ୍ଥାନୀୟ ଅଞ୍ଚଳ ଧୂଆଁ ମୟ ହୋଇଯାଇଥିଲା । ଗୋଟିଏ ବ୍ୟାଗରେ ବୋମା ରଖାଯାଇଥିବା ସୂଚନା ମିଳିଛି । ଘଟଣା ସ୍ଥଳରେ ପୋଲିସ ଛାନଭିନ୍ ଆରମ୍ଭ କରିଛି । ଅନ୍ୟପଟେ ସରପଞ୍ଚ ପ୍ରାର୍ଥୀ ମୁକ୍ତିକାନ୍ତ ପଣ୍ଡା କହିଛନ୍ତି, ଆଜି ସକାଳ ପ୍ରାୟ ସାଢ଼େ ନଅଟା ବେଳେ ମୁଁ ଠାକୁରଙ୍କ ପୂଜା କରୁଥିବା ସମୟରେ ମୋ ବାରିପଟେ ବୋମାମାଡ଼ କରାଯାଇଥିଲା। ମୁଁ ସରପଞ୍ଚ ପ୍ରାର୍ଥୀ ହୋଇ ଥିବାରୁ କେହି ଆକ୍ରୋଶମୂଳକ ଭାବେ ଏପରି କରି ଥାଇପାରେ ବୋଲି ସରପଞ୍ଚ ପ୍ରାର୍ଥୀ କହିଛନ୍ତି ।