ପଞ୍ଜାବ ବିଧାନସଭା ନିର୍ବାଚନକୁ ନେଇ ରାଜନୈତିକ ମାହୋଲ ସରଗରମ | ଏହାରି ମଧ୍ୟରେ ଦଳ ପକ୍ଷରୁ ପାର୍ଥି ତାଲିକା ପ୍ରକାଶ ପାଇବାରେ ଲାଗିଛି | ଆଉ ଏହାରି ଭିତରେ କଂଗ୍ରେସ ଆଉ ୮ ଜଣ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ତେବେ ଏହି ଲିଷ୍ଟରେ ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂହ ଚନ୍ନୀଙ୍କୁ ଭଦୌର ଆସନରୁ ଟିକେଟ୍ ମିଳିଛି । ଫଳରେ ସେ ଏବେ ଦୁଇଟି ଆସନରୁ ଲଢିବା ଖବର ପକ୍କା ହୋଇଛି । ଏହାପୂର୍ବରୁ ଦଳ ଚନ୍ନୀଙ୍କୁ ଚମକୌର ସାହିବ ଆସନରୁ ପ୍ରାର୍ଥୀ କରିସାରିଛି । ଆଉ ଏବେ ଦ୍ୱିତୀୟ ସିଟ୍ ଭାବେ ଚନ୍ନୀଙ୍କୁ ମିଳିଛି ଭଦୌର ଆସନ । ତେବେ ସେ କେଉଁ କେଉଁ ସିଟରେ କିଭଳି ପ୍ରଦର୍ଶନ କରୁଛନ୍ତି, ତାହା ଦେଖିବାକୁ ଏବେ ଅପେକ୍ଷା ।
ଅନ୍ୟପଟେ ଘୋଷଣା କରାଯାଇଥିବା ପ୍ରାର୍ଥୀ ତାଲିକାରେ ପବନ କୁମାର ବଂଶଲଙ୍କ ପୁଅ ମନୀଷ ବଂଶଲଙ୍କୁ ଦଳ ବରନାଲା ଆସନରୁ ଟିକେଟ୍ ଦେଇଛି । ଏହା ସହ ଅଟାରୀରୁ ତରସେମ ସିଂହ, ଖେମ କରନ ଆସନରୁ ସୁଖପାଲ, ନବ୍ ସହରରୁ ସତବୀର ସିଂହ, ଲୁଧିଆନା ଦକ୍ଷିଣରୁ ଇଶ୍ୱରଜୋତ୍ ସିଂହ ଚିମା ପ୍ରାର୍ଥୀ ହୋଇଛନ୍ତି । ତାଙ୍କ ସହିତ ଜଲାଲାବାଦରୁ ମୋହନ ସିଂହ, ବରନାଲାରୁ ମନୀଷ ବଂଶଲଙ୍କୁ ଦଳ ପ୍ରାର୍ଥୀ କରିଛି ।
