ଗୋରଖପୁର(ସତ୍ୟପାଠ ବ୍ୟୁରୋ): ଉତ୍ତରପ୍ରଦେଶ ବିଧାନସଭାକୁ ଦୃଷ୍ଟିରେ ରଖି କଂଗ୍ରେସ ଆଉ ଏକ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଛି । କଂଗ୍ରେସ ଦ୍ୱାରା ପ୍ରକାଶିତ ଏହି ତାଲିକାରେ ୬ ଜଣ ପ୍ରାର୍ଥୀଙ୍କ ନାମ ରହିଛି । ଯେଉଁଥିରେ ଗାୟତ୍ରୀ ତିୱାରୀଙ୍କୁ କାନପୁରର କଲ୍ୟାଣପୁର ବିଧାନସଭା ଆସନରୁ ଟିକେଟ ଦିଆଯାଇଛି। ତେବେ ବିକାଶ ଦୁବେ ଘଟଣାରେ ନିହତ ହୋଇଥିବା ଅମର ଦୁବେଙ୍କ ପତ୍ନୀ ଖୁସୀ ଦୁବେଙ୍କ ମାତା ଗାୟତ୍ରୀ ତିୱାରୀ। ସେହିପରି ଏହି ତାଲିକାରେ ଲକ୍ଷ୍ନୌର ପୁରୱା ସିଟରୁ କବି ମୁନୱାର ରାଣାଙ୍କ ଝିଅ ଉରୁଷା ରାଣାଙ୍କ ନାମ ରହିଛି । ଏହାପୂର୍ବରୁ ଉରୁଷା ରାଣା ସ୍ୱାଧୀନପ୍ରାର୍ଥୀ ଆବେଦନ କରିଥିଲେ କିନ୍ତୁ ବର୍ତ୍ତମାନ କଂଗ୍ରେସ ଦଳ ତାଙ୍କୁ ପୁରୱା ପ୍ରାର୍ଥୀ ବୋଲି ଘୋଷଣା କରିଛି ।
କଂଗ୍ରେସ ଲକ୍ଷ୍ନୌ ପଶ୍ଚିମରୁ ଶାହାନା ସିଦ୍ଦିକି, ଲକ୍ଷ୍ନୌ ଉତ୍ତରରୁ ଅଜୟ ଶ୍ରୀବାସ୍ତବ, ଲକ୍ଷ୍ନୌ ପୂର୍ବର ପଙ୍କଜ ତିୱାରୀ ଏବଂ ଲମ୍ବହୁଆ ଆସନରୁ ବିନୟ ବିକ୍ରମ ସିଂଙ୍କୁ ଏହି ତାଲିକାରେ ସ୍ଥାନିତ କରିଛି। ଅନ୍ୟପଟେ କଂଗ୍ରେସ ଘୋଷଣା କରିଥିବା ୬ ଜଣ ପ୍ରାର୍ଥୀଙ୍କ ତାଲିକାରେ ୩ ଜଣ ମହିଳା ଅନ୍ତର୍ଭୁକ୍ତ। ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ପୂର୍ବରୁ ପ୍ରିୟଙ୍କା ଗାନ୍ଧୀ ୟୁପିରେ ୪୦% ମହିଳା ପ୍ରତିନିଧିତ୍ୱ କରିବେ ବୋଲି ପ୍ରତିଶୃତି ଦେଇଥିଲେ। ସେବେଠାରୁ ପ୍ରତ୍ୟେକ କଂଗ୍ରେସ ତାଲିକାରେ ୪୦ ପ୍ରତିଶତ ମହିଳାଙ୍କୁ ଟିକେଟ୍ ଦିଆଯାଉଥିବାର ଦେଖିବାକୁ ମିଳିଛି ।





