ବିଜେପି ଓ ଏନଡିଏ ସରକାର ବିରୋଧରେ ବିରୋଧୀ ଦଳକୁ ଏକାଠି କରିବା ପାଇଁ ପ୍ରମୁଖ ବିରୋଧୀ ଦଳର ନେତାଙ୍କୁ ଭେଟିବେ କେସି ରାଓ

ତେଲେଙ୍ଗାନା(ସତ୍ୟପାଠ ବ୍ୟୁରୋ): ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସି ରାଓ ପୁଣିଥରେ ଲାଇମଲାଇଟକୁ ଆସିଛନ୍ତି । ତାଙ୍କର ବିଜେପି ବିରୋଧୀ ବୟାନ ପାଇଁ ସବୁବେଳେ ସେ ଚର୍ଚ୍ଚାରେ ରହିଥାନ୍ତି । କେତେବେଳେ ପ୍ରଧାନମନ୍ତ୍ରୀଙ୍କ ପୋଷାକକୁ ନେଇ ସମାଲୋଚନା କରୁଥିବାବେଳେ ଆଉ କେତେବେଳେ ଦଳକୁ ଟାର୍ଗେଟ କରି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ବଡ଼ ବୟାନ ଦେଉଥିବାର ଦେଖିବାକୁ ମିଳିଥାଏ । ହେଲେ ବିଜେପି ଏବଂ ଏନଡିଏ ସରକାର ବିରୋଧରେ ବିରୋଧୀ ଦଳକୁ ସଂଗଠିତ କରିବା ପାଇଁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ସି ରାଓ ଖୁବ୍ ଶୀଘ୍ର ପ୍ରମୁଖ ବିରୋଧୀ ଦଳର ନେତାଙ୍କୁ ଭେଟିବେ ବୋଲି ସୂଚନା ମିଳିଛି । ଆସନ୍ତା କିଛି ଦିନ ମଧ୍ୟରେ ସେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏବଂ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିବେ ବୋଲି କେସିଆର କହିଛନ୍ତି। ସେପଟେ ଏନେଇ କେସିଆର ଖୁବ୍ ଶୀଘ୍ର ମୁମ୍ବାଇ ଯିବେ ବୋଲି ମଧ୍ୟ ସୂଚନା ମିଳିଛି । ଏହା ସହ ମମତା ବାନାର୍ଜୀ ହାଇଦ୍ରାବାଦ ଆସିବାର ସମ୍ଭାବନା ରହିଛି।

ତେବେ ଲୋକ ବିରୋଧୀ ନୀତି ବିରୋଧରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱାଧୀନ ସରକାରକୁ ହଟାଇବା ଉଚିତ ବୋଲି ସେ ଅଭିଯୋଗ କରିଛନ୍ତି। ବିଜେପି ବିରୋଧୀ ରାଜନୈତିକ ଦଳଗୁଡ଼ିକୁ ଏକତ୍ର କରିବାରେ ସେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ବୋଲି ସେ କହିଛନ୍ତି। ରାଫାଲ ଚୁକ୍ତିରେ ଦୁର୍ନୀତି ଅଭିଯୋଗ କରି ସେ କହିଛନ୍ତି ଯେ ସୁପ୍ରିମକୋର୍ଟ ଯାଇ ଏହାର ସତ୍ୟତା ପ୍ରକାଶ କରିବେ। ସେ କହିଛନ୍ତି ଯେ ମମତା ତାଙ୍କ ସହ ଫୋନରେ ଆଲୋଚନା କରିଥିଲେ। ହେଲେ ରାଓ କିନ୍ତୁ ବିରୋଧୀ ଦଳର ନେତୃତ୍ୱ ନେବେ କି ନାହିଁ ପ୍ରଶ୍ନର ସିଧାସଳଖ ଉତ୍ତର ଦେଇ ନାହାଁନ୍ତି। ଏହା ଉପରେ ସେ କହିଛନ୍ତି ଯେ ମୁଁ ଗୋଟିଏ କଥା ପ୍ରତିଜ୍ଞା କରୁଛି ଯେ ମୁଁ ଏଥିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବି। ୟୁପି ନିର୍ବାଚନ ପରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପାଇବ ବୋଲି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ କେସି ରାଓ କହିଛନ୍ତି । ଏଖବର ସାମ୍ନାକୁ ଆସିବା ପରେ ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts