ୟୁକ୍ରେନରେ ଫସିରହିଥିବା ଭାରତୀୟଙ୍କୁ ଆଣିବା ପାଇଁ ଯାଉଥିବା ଏୟାର ଇଣ୍ଡିଆ ବିମାନ ଅଧାରୁ ଦିଲ୍ଲୀ ଫେରିଲା

ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ରୁଷ ଓ ୟୁକ୍ରେନ ମଧ୍ୟରେ ପରିସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ସେପଟେ ରୁଷ ୟୁକ୍ରେନ ଉପରେ ଆକ୍ରମଣ ମଧ୍ୟ କରିଦେଇଛି । ଏହା ମଧ୍ୟରେ ୟୁକ୍ରେନରେ ଫସିଥିବା ଭାରତୀୟଙ୍କୁ ଆଣିବା ପାଇଁ କିଭ୍ ଯାଉଥିବା ଏୟାର ଇଣ୍ଡିଆର ଗୋଟିଏ ବିମାନ ଅଧାରୁ ଦିଲ୍ଲୀ ଫେରି ଆସିଛି। ଫସିରହିଥିବା ଭାରତୀୟଙ୍କୁ ଆଣିବା ପାଇଁ ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନ ଦିଲ୍ଲୀରୁ ୟୁକ୍ରେନ ଅଭିମୁଖେ ଉଡ଼ାଣ ଭରିଥିଲେ। ବିମାନଟି ଅଧା ବାଟରେ ଥିବା ବେଳେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ ବିରୋଧରେ ଯୁଦ୍ଧ ଘୋଷଣା କରିଥିଲେ। ଏହାପରେ ମସ୍କୋର ସୈନ୍ୟମାନେ କିଭ୍ ଉପରେ ହମଲା ମଧ୍ୟ ଆରମ୍ଭ କରିଦେଇଥିଲେ। ଏହି କାରଣରୁ ୟୁକ୍ରେନ ତା’ର ବାୟୁସୀମାକୁ ବନ୍ଦ କରି ଦେଇଛି।

ଏପରି ସୂଚନା ଏୟାର ଇଣ୍ଡିଆ ବିମାନକୁ ମଝି ଆକାଶରେ ମିଳିଥିଲା। ଫଳରେ ବିମାନଟି ୟୁକ୍ରେନ ଯିବା ବଦଳରେ ପୁଣି ଦିଲ୍ଲୀକୁ ଫେରି ଆସିଛି। ବିମାନ ଉଡ଼ାଣ ୟୁକ୍ରେନ ବନ୍ଦ କରି ଦେଇଥିବାରୁ ସେଠାରେ ଫସି ରହିଥିବା ଭାରତୀୟମାନେ ସମସ୍ୟାରେ ପଡ଼ିଛନ୍ତି। ସେମାନେ କେମିତି ସ୍ୱଦେଶ ଫେରିବେ, ତା’କୁ ନେଇ ଚିନ୍ତାରେ ରହିଛନ୍ତି। ରୁଷ ଓ ୟୁକ୍ରେନ ମଧ୍ୟରେ ବିବାଦ ଆରମ୍ଭ ହେବା ଦିନଠାରୁ ଭାରତ ସରକାର ସେଠାରେ ରହୁଥିବା ଭାରତୀୟ ନାଗରିକ ଓ ଶିକ୍ଷାର୍ଥୀଙ୍କୁ ତୁରନ୍ତ ସ୍ୱଦେଶ ଫେରି ଆସିବାକୁ ପରାମର୍ଶ ଦେଇ ଚାଲିଛନ୍ତି। ଏପରି କି ଦୁଇଟି ଦଫାରେ ଭାରତ ସରକାର ଶତାଧିକ ଭାରତୀୟଙ୍କୁ ସ୍ୱତନ୍ତ୍ର ବିମାନରେ ଦିଲ୍ଲୀ ମଧ୍ୟ ଆଣିଥିଲେ।

Related Posts