ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ୟୁକ୍ରେନରେ ଫସିଥିବା ଓଡ଼ିଆମାନଙ୍କର ଉଦ୍ଧାର ପାଇଁ ଖୋଲିଲା ସ୍ୱତନ୍ତ୍ର ସହାୟତା ସେଲ । ଏହି ସହାୟତା କେନ୍ଦ୍ରକୁ ଦିଲ୍ଲୀ ଓଡ଼ିଶା ଭବନଠାରେ ଥିବା ଓଡ଼ିଶା ସରକାରଙ୍କ ସ୍ବତନ୍ତ୍ର ଆବାସିକ କମିଶନରଙ୍କ କାର୍ୟ୍ୟାଳୟରେ ଖୋଲାଯାଇଛି । ଏହି ସହାୟତା କେନ୍ଦ୍ର ଭାରତ ସରକାରଙ୍କ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ, ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଓ ଅନ୍ୟ ସମସ୍ତ ସଂପର୍କିତ ଏଜେନ୍ସିମାନଙ୍କ ସହ ସମନ୍ବୟ ରକ୍ଷା କରିବ । ଏଥିପାଇଁ ଆବାସିକ କମିଶନର ରବି କାନ୍ତଙ୍କୁ ଶୀର୍ଷ ଅଧିକାରୀ ବା ନୋଡାଲ ଅଫିସର ନିଯୁକ୍ତ କରାଯାଇଛି ।

ତାଙ୍କୁ ୮୫୨୭୮୫୦୨୪୫ (ମୋବାଇଲ ଓ ହ୍ବାଟ୍ସଆପ ନମ୍ବର), ୦୧୧-୨୩୦୧୨୭୫୧ (ଲାଣ୍ଡଲାଇନ ନମ୍ବର) ଓ ଇମେଲ ଆଇଡି re.odisha@gmail.com କିମ୍ବା resem-or@nic.in ମାଧ୍ୟମରେ ଯୋଗାଯୋଗ କରିହେବ । ସେପଟେ ୟୁକ୍ରେନ୍ରେ ଫସିଥିବା ଓଡ଼ିଆ ଛାତ୍ରଛାତ୍ରୀଙ୍କ ସୁରକ୍ଷା ସଂପର୍କରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହାୟତା ଲୋଡିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓଡ଼ିଆ ପିଲା ଓ ଶ୍ରମିକଙ୍କ ସୁରକ୍ଷିତ ଭାବେ ଉଦ୍ଧାର କରିବାକୁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି। ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ ଉଦ୍ୟମ ଚାଲିଥିବା ନେଇ ଗୃହମନ୍ତ୍ରୀ ଅମିତ ଶାହ ଆଶ୍ୱାସନା ଦେଇଛନ୍ତି।