ଯୁଦ୍ଧ ଛାଡ଼ି ଆପୋସ ବୁଝାମଣା କରିବାକୁ ପୁଟିନଙ୍କୁ ନିବେଦନ କଲା ତାଲିବାନ

ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ଯୁଦ୍ଧ ଛାଡ଼ି ଆପୋସ ବୁଝାମଣା କରିବାକୁ ପୁଟିନଙ୍କୁ ନିବେଦନ କଲା ତାଲିବାନ । ସେପଟେ ଯୁଦ୍ଧର ଆଜି ଦ୍ୱିତୀୟ ଦିନ ହୋଇଥିବାବେଳେ ଯୁଦ୍ଧର ପ୍ରଥମ ଦିନରେ ୟୁକ୍ରେନରେ ୧୦ ଜଣ ସେନା ଅଧିକାରୀଙ୍କ ସହ ୧୩୭ ଜଣ ସାଧାରଣ ନାଗରିକଙ୍କର ମୃତ୍ୟୁ ଘଟିଛି। ୟୁକ୍ରେନ ମଧ୍ୟ ଋଷର ସୈନିକମାନଙ୍କୁ ହତ୍ୟା କରିଥିବା ଦାବି କରିଛି। ଏହି ସଙ୍କଟ ଉପରେ ବିଶ୍ୱର ଅନେକ ଦେଶମାନେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ତେବେ ଗତ ବର୍ଷ ଆଫଗାନିସ୍ତାନକୁ ନିଜ ଦଖଲକୁ ନେଇଥିବା ତାଲିବାନ ମଧ୍ୟ ଏକ ବିବୃତ୍ତି ଜାରି କରିଛି । ଆଫଗାନିସ୍ତାନର ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଅବଦୁଲ କହର ବାଲଖୀ ଶୁକ୍ରବାର ଦିନ କହିଛନ୍ତି ଯେ ୟୁକ୍ରେନର ପରିସ୍ଥିତି ଉପରେ ସରକାର ତୀକ୍ଷ୍ଣ ନଜର ରଖିଛନ୍ତି ଏବଂ ସାଧାରଣ ନାଗରିକଙ୍କ ମୃତ୍ୟୁ ହେବାର ଆଶଙ୍କା ରହିଛି।

ସେ କହିଛନ୍ତି ଯେ ୟୁକ୍ରେନରେ ସାଧାରଣ ନାଗରିକଙ୍କ ମୃତ୍ୟୁକୁ ନେଇ ଚିନ୍ତିତ। ଇସଲାମିକ୍ ଏମିରେଟ୍ ଉଭୟ ପକ୍ଷକୁ ସଂଯମତା ଆଣିବାକୁ ଆହ୍ୱାନ ଦେଇଛି। ଆଫଗାନିସ୍ତାନର ତାଲିବାନ ସରକାର ଉଭୟ ଦେଶକୁ ନିରପେକ୍ଷତାର ସହ ବୈଦେଶିକ ନୀତି ଅନୁଯାୟୀ ଏବଂ ଶାନ୍ତିପୂର୍ଣ୍ଣ ଉପାୟ ମାଧ୍ୟମରେ ସମସ୍ୟାର ସମାଧାନ କରିବାକୁ ଆହ୍ୱାନ କରିଛି । ସୂଚନା ଥାଉ କି ଗତବର୍ଷ ମଧ୍ୟ ଆଫଗାନିସ୍ତାନକୁ ନିଜ ଦଖଲକୁ ନେବାକୁ ତାଲିବାନ ରକ୍ତର ହୋଲି ଖେଳିଥିଲା । ଆଉ ଏବେ ଶାନ୍ତିପୂର୍ଣ୍ଣ ଢଙ୍ଗରେ ସମସ୍ୟା ସମାଧାନ ପାଇଁ ଅପିଲ କରିଛି ।

Related Posts