ଋଷ- ୟୁକ୍ରେନ ମଧ୍ୟରେ ଜାରି ରହିଛି ଯୁଦ୍ଧ । ଯୁଦ୍ଧ ଆଜିକୁ ଷଷ୍ଠ ଦିନରେ ପହଞ୍ଚିଥିବା ବେଳେ, ହାର ମାନିବାକୁ ନାରାଜ ଉଭୟ ଦେଶ । ସେପଟେ ଉଭୟ ଦେଶ ମଧ୍ୟରେ ବସିଥିବା ଆଲୋଚନା ବିଫଳ ହୋଇଛି । ସମାଧାନର କୌଣସି ନିଷ୍କର୍ଷ ବାହାରି ପାରିନାହିଁ । ସେପଟେ ଯୁଦ୍ଧ କୁ ଆହୁରି ତୀବ୍ରତର କରିଛି ଋଷ । ୟୁକ୍ରେନ ଉପରେ ଲଗାତାର ଭାବେ ଆକ୍ରମଣ ଜାରି ରଖିଛି । ଋଷ ବେଲାଋଷ ସୀମାରେ ଆଣବିକ ଅସ୍ତ୍ର ସଜାଡି ରଖିଥିବା କହୁଥିବାବେଳେ ସାରା ବିଶ୍ୱରେ ଏହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ବୁଦ୍ଧିଜୀବୀଙ୍କ ଠାରୁ ଆରମ୍ଭ କରି ସାଧାରଣ ଜନତା । ସମସ୍ତଙ୍କୁ ଗୋଟିଏ ଡର ଘାରୁଛି କାଳେ ଋଷ ପରମାଣୁ ଆକ୍ରମଣ କରିଦେବ କି? ହେଲେ ପୁଟିନଙ୍କ ଏଭଳି ଧମକ ଭିତରେ ଆସିଛି ଆମେରିକା ରାଷ୍ଟ୍ରପତି ବାଇଡେନଙ୍କ ବୟାନ ।
ଆଉ ପରମାଣୁ ଆକ୍ରମଣର ଧମକକୁ ଡରିବା ଦରକାର ନାହିଁ ବୋଲି କହିଛନ୍ତି ରାଷ୍ଟ୍ରପତି ବାଇଡେନ । ତାଙ୍କର ଏହି ବୟାନ୍ ପରୋକ୍ଷ ଭାବେ ଏହା କହୁଛି ଯେ, ଆମେରିକା ମଧ୍ୟ ପରମାଣୁ ଆକ୍ରମଣର କଡା ଜବାବ ଦେଇପାରିବ । ପରମାଣୁ ଆକ୍ରମଣରେ ଆମେରିକା ପଛକୁ ହଟିବନି ।
ସୂଚନା ମୁତାବକ, ୧୯୪୫ରେ ବିଶ୍ୱ ଶେଷଥର ପରମାଣୁ ଯୁଦ୍ଧ ଦେଖିଥିଲା । ୭୭ ବର୍ଷ ପରେ ୟୁକ୍ରେନ-ଋଷ ଯୁଦ୍ଧ ବେଳେ ଏହି ଭୟ ପୁଣି ଘନେଇଛି । ବିଶେଷଜ୍ଞଙ୍କ ତଥ୍ୟ ମୁତାବକ, ଯଦି ୩୦ କିଲୋଟନ୍ ପରମାଣୁ ବୋମା ପଡେ ଏହା ୪ କିଲୋମିଟର ଦୂର ଯାଏଁ ଧ୍ୱଂସ କରିଦେବ । ଯଦି ୧୦୦୦ କିଲୋଟନର ବୋମା ପଡିଲେ ଏହାର ପ୍ରଭାବ ୧୦୦ କିଲୋମିଟର ଯାଏଁ ପଡିବ । ଏପରି ଆକ୍ରମଣ ହେଲେ ହିରୋସିମା ଓ ନାଗାସାକି ଠାରୁ ମଧ୍ୟ ଅଧିକ କ୍ଷତି କରିବ ।
