ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ୟୁକ୍ରେନ ଓ ରୁଷ ମଧ୍ୟରେ ଭୟଙ୍କର ଯୁଦ୍ଧ ଚାଲିଛି । ସେପଟେ ୟୁକ୍ରେନର ରାଜଧାନୀ କିବକୁ କବଜା କରିବା ପାଇଁ ରୁଷ ନିରନ୍ତର ଚେଷ୍ଟା କରୁଛି । ଏହା ମଧ୍ୟରେ ୨୪ ଘଂଟା ଭିତରେ କିଭ୍ ଉପରେ ଆକ୍ରମଣ ହେବା ନେଇ ଆଶଙ୍କା କରାଯାଉଛି । ଅଣପାରମ୍ପରିକ ଅସ୍ତ୍ର ସାହାର‌୍ୟ୍ୟରେ ଆକ୍ରମଣ କରିପାରେ ଋଷିଆ । ୟୁକ୍ରେନ୍ ବାୟୁସେନାର ଏୟାରଫିଲ୍ଡ ଉପରେ ଆକ୍ରମଣ ହୋଇପାରେ । ବଲାରୁଷ ରାସ୍ତାରେ ବି ୟୁକ୍ରେନ୍ ଆଡକୁ ଋଷ ସେନା ବଢିପାରେ ବୋଲି ଅନୁମାନ କରାଯାଉଛି । ସେପଟେ ସେଠାରେ ଫସିଥିବା ସମସ୍ତ ଭାରତୀୟଙ୍କ ପାଇଁ ଜାରି ହୋଇଛି କଡା ଆଡଭାଇଜରୀ। ଯେତେ ସମ୍ଭବ ତୁରନ୍ତ ଆଜି ହିଁ କିଭ୍ ଛାଡିବାକୁ ସମସ୍ତ ଭାରତୀୟ ନାଗରିକ ଓ ଛାତ୍ରଛାତୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ୟୁକ୍ରେନ୍ରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ଏହି ଆଡଭାଇଜରୀ ଜାରି କରାଯାଇଛି।

ଟ୍ରେନ୍ ହେଉ ଅବା ଯାତାୟତ ପାଇଁ ଉପଯୁକ୍ତ ଥିବା ଯେକୌଣସି ମାଧ୍ୟମ ଧରି ସେଠାରୁ ତୁରନ୍ତ ଛାଡି ଚାଲିଯିବାକୁ ୟୁକ୍ରେନରେ ଥିବା ଭାରତୀୟ ଦୂତାବାସ ତରଫରୁ କୁହାଯାଇଛି। ଅନ୍ୟପଟେ ୟୁକ୍ରେନ୍ରେ ପ୍ରାୟ ୨୦ ହଜାର ଭାରତୀୟ ନାଗରିକ ଅଛନ୍ତି। ଏଥିମଧ୍ୟରୁ ଅଧିକ ସେଠାରେ ଡାକ୍ତରୀ ପାଠ ପଢ଼ିବା ପାଇଁ ଯାଇଛନ୍ତି। ଏବେ ଏହି ୨୦ ହଜାର ଭାରତୀୟ ନାଗରିକଙ୍କ ମଧ୍ୟରୁ ୪ ହଜାର ସ୍ୱଦେଶ ଫେରି ସାରିଲେଣ। ଅନ୍ୟ ଫଶି ରହିଥିବା ଭାରତୀୟ ନାଗରିକଙ୍କୁ ବାହାର କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅପରେସନ ଗଙ୍ଗା କାର୍ଯ୍ୟକ୍ରମ ଜାରି ରହିଛି।