ୟୁକ୍ରେନରେ ଫସି ରହିଛନ୍ତି ଅନେକ ଭାରତୀୟ ଛାତ୍ରଛାତ୍ରୀ | ତାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ଭାରତ ସରକାରଙ୍କ ପାଇଁ ବଡ଼ ଚ୍ୟାଲେଜ ହୋଇଥିବା ବେଳେ, ୟୁକ୍ରେନ ଛାତ୍ରଛାତ୍ରୀଙ୍କୁ ପଣବନ୍ଦୀ କରିରଖିଥିବା ଦାବି କରିଛି ରୁଷିଆ ଦୂତବାସ | ମାନବ ଢାଲ ରୂପେ ବ୍ୟବହାର କରିବାକୁ ୟୁକ୍ରେନ ସେନା ଛାତ୍ରଛାତ୍ରୀଙ୍କୁ ପଣବନ୍ଦୀ କରିଛି । ବୁଧବାର ଭାରତରେ ଥିବା ଋଷିଆ ଦୂତାବାସ ପକ୍ଷରୁ ଏହି ଦାବି କରାଯାଇଛି । ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କଥା ହେବା ପରେ ଏବଂ ଖାର୍କିଭ ସ୍ଥିତି ସମୀକ୍ଷା କରିବା ସହ ଯୁଦ୍ଧ ପ୍ରଭାବିତ ଅଞ୍ଚଳରୁ ଭାରତୀୟ ନାଗରିକଙ୍କ ସୁରକ୍ଷିତ ସ୍ଥାନାନ୍ତର ସମ୍ପର୍କରେ ଆଲୋଚନା କରିବା ପରେ ଋଷ ଦୂତବାସ ଛାତ୍ରଛାତ୍ରୀଙ୍କ ଅଟକ ରଖାଯାଇଥିବାର ଦାବି କରିଛି ।
ଋଷୀୟ ଦୂତାବାସ ଟ୍ବିଟ୍ କରିଛି ଯେ, ଭାରତୀୟ ଛାତ୍ରଛାତ୍ରୀମାନେ ୟୁକ୍ରେନ ଛାଡି ଯିବାକୁ ଚାହୁଁଥିବା ବେଳେ ଛାତ୍ରଛାତ୍ରୀଙ୍କ ଏକ ବଡ ଗ୍ରୁପକୁ ୟୁକ୍ରେନ ସେନା ବଳପୂର୍ବକ ଖାରକୋଭ ଠାରେ ଅଟକ ରଖିଛନ୍ତି । ଋଷ ଆକ୍ରମଣ ବିରୁଦ୍ଧରେ ସେମାନଙ୍କୁ ମାନବ ଢାଲ ଭାବେ ବ୍ୟବହାର କରିବାକୁ ୟୁକ୍ରେନ ଏପରି କରିଛି । ଋଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟର ପ୍ରବକ୍ତା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଭାରତୀୟ ନାଗରିକଙ୍କ ନିରାପଦ ସ୍ଥାନାନ୍ତରଣ ପାଇଁ ଋଷର ସଶସ୍ତ୍ର ସେନା ସବୁ ପ୍ରକାର ପଦକ୍ଷେପ ନେବାକୁ ପ୍ରସ୍ତୁତ । ଋଷ ଭାରତୀୟଙ୍କୁ ନିଜ ସାମରିକ ପରିବହନ ବିମାନ ଏବଂ ଭାରତୀୟ ବିମାନ ଯୋଗେ ସ୍ବଦେଶ ପଠାଇବାକୁ ପ୍ରସ୍ତୁତ ମଧ୍ୟ ।
ଋଷିଆର ଅଭିଯୋଗ ଉପରେ ୟୁକ୍ରେନ ପ୍ରତିକ୍ରିୟା ରଖିଛି । ଖାର୍କିଭ ଏବଂ ସୁମିରେ ଋଷ ନିଜ ସାମରିକ ଅପରେସନ ବନ୍ଦ କରୁ । ଯଦ୍ବାରା ୟୁକ୍ରେନ ସହରରୁ ନାଗରିକ ଏବଂ ବିଦେଶ ଛାତ୍ରଙ୍କୁ ସ୍ଥାନାନ୍ତରଣ କରାଯାଇପାରିବ । ଭାରତ, ପାକିସ୍ତାନ ଏବଂ ଚୀନ ସମେତ ବିଭିନ୍ନ ଦେଶର ଛାତ୍ରଛାତ୍ରୀ ଏଠାରେ ରହିଛନ୍ତି । ଆବାସିକ ଅଞ୍ଚଳରେ ଋଷ ସେନା ପକ୍ଷରୁ ମିଶାଇଲ ମାଡ ଯୋଗୁଁ ସେମାନେ ୟୁକ୍ରେନ ଛାଡିବାକୁ ବାଧ୍ୟ ହେଉଛନ୍ତି ବୋଲି ୟୁକ୍ରେନ ବୈଦେଶିକ ମନ୍ତ୍ରଣାଳୟ ଏକ ବିବୃତ୍ତି ଜରିଆରେ କହିଛି ।
ସେପଟେ ଭାରତୀୟ ଛାତ୍ରଙ୍କୁ ୟୁକ୍ରେନ ସେନା ପଣବନ୍ଦୀ କରିଥିବାର ଦାବିକୁ ଖଣ୍ଡନ କରିଛି ଭାରତ । ଛାତ୍ରଛାତ୍ରୀଙ୍କ ପକ୍ଷରୁ ଏନେଇ ଏଯାବତ ସେଭଳି କିଛି ଅଭିଯୋଗ ଆସିନଥିବା ସେ କହିଛନ୍ତି |





