
ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଲାଗି ରହିଛି ଭୋଟ ଗ୍ରହଣ ପକ୍ରିୟା | ଆଜି ଷଷ୍ଠ ପର୍ଯ୍ୟାୟ ମତଦାନ ଚାଲିଛି | ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଯାଇଛି | ଯାହା ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଜାରି ରହିବ । ସକାଳ ୯ଟା ସୁଦ୍ଧା ୮.୬୯ ପ୍ରତିଶତ ମତଦାନ ହୋଇଥିବା ସୂଚନା ମିଳିଛି । ଆଜି ୫୭ଟି ଆସନ ପାଇଁ ୬୭୬ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରିବେ ୨.୧୪ କୋଟି ଭୋଟର । ଗୋରଖପୁର ଅର୍ବାନ ଆସନ ପାଇଁ ପ୍ରତିଦ୍ବନ୍ଦିତା କରୁଥିବା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ମଧ୍ୟ ଆଜି ଭାଗ୍ୟ ପରୀକ୍ଷା ହେବ ।
ସେହିପରି ତାମକୁହି ଆସନରୁ ଲଢୁଥିବା ଉତ୍ତରପ୍ରଦେଶ ପିସିସି ସଭାପତି ଅଜୟ କୁମାର ଲାଲ୍ଲୁ, ଫାଜିଲନଗରରୁ ପ୍ରତିଦ୍ବନ୍ଦିତା କରୁଥିବାବେଳେ ସମାଜବାଦୀ ପାର୍ଟିର ନେତା ସ୍ବାମୀ ପ୍ରସାଦ ମୌର୍ଯ୍ୟ ଓ ବିରୋଧୀ ଦଳ ନେତା ରାମ ଗୋବିନ୍ଦ ଚୌଧୁରୀଙ୍କ ଆଜି ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର ।ଆମ୍ବେଦକର ନଗର, ବଲରାମପୁର, ସିଦ୍ଧାର୍ଥ ନଗର, ବସ୍ତି, ସାନ୍ତ କବିର ନଗର, ମହାରାଜଗଞ୍ଜ, ଗୋରଖପୁର, କୁଷିନଗର, ଦେଓରିଆ ଏବଂ ବାଲ୍ଲିଆରେ ମତଦାନ ଆରମ୍ଭ ହୋଇଯାଇଛି । ଷଷ୍ଠ ପର୍ଯ୍ୟାୟ ଭୋଟ ପୂର୍ବରୁ ଗତକାଲି ପ୍ରତିଦ୍ବନ୍ଦି କରିଥିବା ଦଳ ଗୁଡିକରେ ନିର୍ବାଚନୀ ପ୍ରଚାର ଶେଷ ହୋଇଥିଲା ।
ସୂଚନାଯୋଗ୍ୟ, ଆସନ୍ତା ମାର୍ଚ୍ଚ 7 ତାରିଖରେ ଶେଷ ପର୍ଯ୍ୟାୟ ଭୋଟିଂ ହେବାକୁ ଥିବାବେଳେ ମାର୍ଚ୍ଚ ୧୦ ତାରିଖରେ ଭୋଟ ଗଣତି ହେବା ସହ ଜନାଦେଶ ପ୍ରକାଶ ପାଇବ । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୋରଖପୁରରେ ପହଞ୍ଚି ସକାଳ ଠିକ୍ ୭ଟା ସମୟରେ ଭୋଟ ଦେଇଛନ୍ତି । ଭୋଟ ଦେବା ପରେ ସେ ଗଣମାଧ୍ୟମ ପ୍ରତିନିଧିଙ୍କୁ ସମ୍ବୋଧିତ କରି ରାଜ୍ୟର ବିକାଶ ପ୍ରକ୍ରିୟା ତ୍ବରାନ୍ବିତ କରିବାକୁ ଏବଂ ଉତ୍ତମ ସରକାର ଗଠନ କରିବା ପାଇଁ ବିପୁଳ ସଂଖ୍ୟାରେ ମତଦାନ କରିବାକୁ ଜନସାଧାରଣଙ୍କୁ ଅପିଲ୍ କରିଛନ୍ତି ।