ୟୁକ୍ରେନ-ରୁଷ୍ ମଧ୍ୟରେ ଜାରି ରହିଛି ଘମାଘୋଟ ଲଢେଇ | ସେପଟେ ଯୁଦ୍ଧ ଆଜି ୯ମ ଦିନରେ ପହଁଚିଛି | ରୁଷ ସେନା ଲଗାତାର ଭାବେ ୟୁକ୍ରେନ ଉପରକୁ ଆକ୍ରମଣ କରି ଚାଲିଛନ୍ତି | ଯାହା ଫଳରେ ୟୁକ୍ରେନର ଅନେକ ସହ ମାଟିରେ ମିଶିଯାଇଛି | ସେପଟେ ଆଜି ରୁଷ ଆଜି ୟୁରୋପର ସବୁଠାରୁ ବଡ଼ ନ୍ୟୁକ୍ଲିୟର ବା ପରମାଣୁ ପ୍ଲାଣ୍ଟ ଉପରେ ହମଲା କରିଛି। ଏହି ପରମାଣୁ ପ୍ଲାଣ୍ଟଟି ୟୁକ୍ରେନର ଜାପୋରିଝଝିଆରେ ରହିଛି। ରୁଷ ଏଠାରେ ବୋମା ମାଡ଼ କରିବାରୁ ପ୍ଲାଣ୍ଟରେ ନିଆଁ ଲାଗି ଯାଇଛି। ନିଆଁ ଲିଭାଇକୁ ଅଗ୍ନିଶମ କର୍ମଚାରୀମାନେ ଉଦ୍ୟମ କରୁଥିଲେ ହେଁ ଏଥିରେ ସଫଳ ହୋଇନାହାନ୍ତି। କାରଣ ପ୍ଲାଣ୍ଟ ଉପରେ ବୋମା ମାଡ଼ କରିବା ପରେ ସ୍ଥାନୀୟ ଅଞ୍ଚଳରେ ରୁଷ ସୈନ୍ୟମାନେ ଆଖିବୁଜା ଗୁଳି ଚଳାଉଛନ୍ତି। ଫଳରେ ନିଆଁ ଲିଭାଇବାରେ ଅଗ୍ନିଶମ କର୍ମଚାରୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ୟୁକ୍ରେନ ବୈଦେଶିକ ମନ୍ତ୍ରୀ ନିଆଁ ଲିଭାଇରେ ସହଯୋଗ କରିବାକୁ ରୁଷକୁ ଅନୁମତି ମାଗିଛନ୍ତି।
ଅନ୍ୟପଟେ ଯୁଦ୍ଧକୁ ଏଡ଼ାଇବା ପାଇଁ ଉଭୟ ଦେଶ ମଧ୍ୟରେ ଆଲୋଚନା ହୋଇଥିଲେ ମଧ୍ୟ ବିଫଳ ହୋଇଛି | ଅପରପକ୍ଷେ ଭାରତ, ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆକୁ ନେଇ ବସିଥିବା କ୍ୱାଡ ବୈଠକ ଶେଷ ହୋଇଛି | ଯୁଦ୍ଧ ପ୍ରସଙ୍ଗକୁ ନେଇ ଭାରତର ଆଭିମୁଖ୍ୟକୁ ନେଇ ୟୁରୋପ ଓ ଆମେରିକା ପ୍ରଶ୍ନ ଉଠାଉଥିବା ବେଳେ ଭାରତ ନିଜ ପକ୍ଷ ରହିଛି । ଅଲୋଚନା ଓ କୂଟନୀତି ମାଧ୍ୟମରେ ବିବାଦର ସମାଧାନ ହେବା ଉଚିତ ବୋଲି କହିଛନ୍ତି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବିବାଦର ସମାଧାନ ହେବା ଜରୁରୀ , ଆଉ ଏଥିପାଇଁ ଆଲୋଚନା ଓ କୂଟନୀତି ହିଁ ପ୍ରକୃତ ମାଧ୍ୟମ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । କ୍ୱାଡ ବୈଠକରେ ଯୋଗଦେବା ଅବସରରେ ସେ ଏହା କହିଛନ୍ତି ।
ଯୁଦ୍ଧ ଜାରି ରହିଥିବା ବେଳେ ରୁଷ୍-ୟୁକ୍ରେନ ମଧ୍ୟରେ ପୁଣି ବସିବ ତୃତୀୟ ପର୍ଯ୍ୟାୟ ବୈଠକ । ଏନେଇ ଉଭୟ ପକ୍ଷ ରାଜି ହୋଇଛନ୍ତି । ଗତକାଲି ଯୁଦ୍ଧର ଅଷ୍ଟମ ଦିନରେ ଉଭୟ ପକ୍ଷ ମଧ୍ୟରେ ଦ୍ୱିତୀୟ ବୈଠକ ବସିଥିଲା । ବେଲାରଷ୍ ସୀମାରେ ଉଭୟ ଦେଶର ଅଧିକାରୀ ଆଲୋଚନା କରିଥିଲେ । ପୂର୍ବରୁ ମଧ୍ୟ ଏକ ବୈଠକ ବସିଥିଲା । ହେଲେ ଏହି ଦୁଇ ବୈଠକରୁ କୌଣସି ସମାଧାନ ବାହାରି ପାରି ନାହିଁ । ତେଣୁ ତୃତୀୟ ବୈଠକ ଉପରେ ଏବେ ନଜର ଅଟକିଛି । ତେବେ ତୃତୀୟ ବୈଠକ କେବେ ହେବ, ସ୍ଥିର ହୋଇପାରି ନାହିଁ |
