ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ପିଏମସି ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଦିନିଆ ପୁନେ ଗସ୍ତରେ ଅଛନ୍ତି । ସେଠାରେ ପ୍ରଧାନମନ୍ତ୍ରୀ ପୁନେ ମେଟ୍ରୋର ୧୨ କିଲୋମିଟର ଲମ୍ବାର ଷ୍ଟ୍ରେଚକୁ ଉଦଘାଟନ କରିବା ସହ ଛତ୍ରପତି ଶିବାଜୀ ମହାରାଜଙ୍କ ପ୍ରତିମୂତ୍ତିକୁ ଉନ୍ମୋଚନ କରିଥିଲେ । ସେପଟେ ପୁଣେ ମେଟ୍ରୋ କରିଡର ଲମ୍ବ ୩୨.୨ କିଲୋମିଟର ରହିଛି । ଯାହାକୁ ସମ୍ପୂର୍ଣ୍ଣ କରିବାକୁ ଆହୁରି ଅନେକ ସମୟ ଲାଗିବ । ଏହି ୩୨.୨ କିଲୋମିଟର ଲମ୍ବା ମେଟ୍ରୋ ପ୍ରକଳ୍ପ ପାଇଁ ପ୍ରାୟ ୧୧,୪୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବାର ସୂଚନା ମିଳିଛି । ଅନ୍ୟପଟେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଏନସିପି କର୍ମୀମାନେ କଳା ରଙ୍ଗର ପୋଷାକ ପିନ୍ଧି ଆମ୍ବେଦକର ମେମୋରିଆଲ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତକୁ ନେଇ କଡ଼ା ସମାଲୋଚନା କରିଥିବାର ଦେଖିବାକୁ ମିଳିଛି । ତେବେ ପିଏମସି ନିର୍ବାଚନ ପୂର୍ବରୁ ପ୍ରଚାର ପାଇଁ ଏକ ଅସମ୍ପୂର୍ଣ୍ଣ ୧୨ କିଲୋମିଟର ମେଟ୍ରୋ ବିଭାଗର ଉଦଘାଟନ କରିବାକୁ ପ୍ରଧାନମନ୍ତ୍ରୀ ଆସୁଛନ୍ତି ।
ଯେଉଁସମୟରେ ଅନେକ ଭାରତୀୟ ନାଗରିକ ୟୁକ୍ରେନରେ ଫସି ରହିଛନ୍ତି ଏନସିପି କର୍ମୀମାନେ କହିଛନ୍ତି । ସେପଟେ ୟୁକ୍ରେନରେ ପ୍ରାଣ ହରାଇଥିବା ଭାରତୀୟ ଛାତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପରେ ଏନସିପି କର୍ମୀଙ୍କ ଏହି ବିରୋଧ ଆରମ୍ଭ ହୋଇଥିଲା। ପ୍ରଧାନମନ୍ତ୍ରୀ ମୋଦୀ ସକାଳ ୧୧ ଟାରେ ପୁଣେ ବିମାନବନ୍ଦରରେ ପହଞ୍ଚିଥିଲେ ଯେଉଁଠାରେ ତାଙ୍କୁ ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶ୍ୟାରୀ ସ୍ୱାଗତ କରିଥିଲେ । ଏହା ପରେ ପ୍ରଧାନମନ୍ତ୍ରୀ ମୋଦୀ ମହାରାଜ ଶିବାଜୀଙ୍କ ୯.୫ ଫୁଟ ଉଚ୍ଚ ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍ତି। ତେବେ ପୁଣେ ମ୍ୟୁନିସିପାଲିଟି କର୍ପୋରେସନରେ ସ୍ଥାପିତ ହୋଇଥିବା ଶିବାଜୀଙ୍କ ପ୍ରତିମୂର୍ତ୍ତି ୧୮୫୦ କିଲୋଗ୍ରାମ ଗନମେଟାଲରୁ ନିର୍ମିତ । ଏହା ପରେ ପ୍ରଧାନମନ୍ତ୍ରୀ ମୋଦୀ ମେଟ୍ରୋ ରେଳ ପ୍ରକଳ୍ପର ଉଦଘାଟନ କରିଥିଲେ ।





