ପାଖାପାଖି ୩୫ ମିନିଟ୍ ଧରି ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଦୁଇ ନେତାଙ୍କ ମଧ୍ୟରେ ହେବାକୁ ଥିବା ଆଲୋଚନା ଶେଷ ହୋଇଛି । ୟୁକ୍ରେନର ବର୍ତମାନର ସ୍ଥିତି କିପରି ଅଛି, ଫସି ରହିଥିବା ଭାରତୀୟଙ୍କ ଉଦ୍ଧାର ନିମନ୍ତେ ନିଆଯାଉଥିବା ପଦକ୍ଷେପ ଆଦିକୁ ନେଇ ପ୍ରଧାନମନ୍ତ୍ରୀ କଥା ହୋଇଛନ୍ତି । ଏହା ସହ ଋଷ ଓ ୟୁକ୍ରେନ୍ ମଧ୍ୟରେ ସିଧାସଳଖ ଦ୍ୱିପାକ୍ଷିକ ଆଲୋଚନାକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି । ଭାରତ ପୂର୍ବରୁ ଉଭୟ ଦେଶ ଦ୍ୱିପାକ୍ଷିକ ଆଲୋଚନା କରି ସମସ୍ୟାର ସମାଧାନ କରିବା ପାଇଁ ମତ ପ୍ରକାଶ କରିଥିଲା। ଏହା ପରେ ଆଉ କିଛି ସମୟ ପରେ ଋଷ୍ ରାଷ୍ଟ୍ରପତିଙ୍କ ସହ ମୋଦୀ କଥା ହେବେ । ସେହିପରି ଆଜି ଦୁଇ ଦେଶ ମଧ୍ୟରେ ତୃତୀୟ ପର୍ଯ୍ୟାୟ ବୈଠକ ବସିବ ।
ଏହା ପୂର୍ବରୁ ୪ ସହର ପାଇଁ ଅସ୍ତ୍ରବିରତି ଘୋଷଣା କରିଛି ଋଷ । କିଭ୍, ଖାରକିଭ୍, ମାରିୟିପୋଲ ଓ ସୁମି ସହର ପାଇଁ ଅସ୍ତ୍ରବିରତି ଘୋଷଣା ହୋଇଛି । ଭାରତୀୟ ସମୟ ୧୨ଟା ୩୦ରୁ ଏହି ଅସ୍ତ୍ରବିରତି ଲାଗୁ ହୋଇଛି । ଅସ୍ତ୍ରବିରତି ସମୟରେ ଲୋକଙ୍କୁ ଖାଲି କରିବାକୁ ସ୍ୱତନ୍ତ୍ର କରିଡର ବା ହ୍ୟୁମାନିଟାରିଆନ କରିଡର ପ୍ରସ୍ତୁତ ହୋଇଛି । ଫଳରେ ବିଦେଶୀ ନାଗରିକମାନେ ଯୁଦ୍ଧକ୍ଷେତ୍ରରୁ ସୁରକ୍ଷିତ ଭାବେ ବାହାରି ଆସିବେ । ସୁମିରେ ପ୍ରାୟ ୭ ଶହ ଭାରତୀୟ ଫସି ରହିଛନ୍ତି । ସେମାନଙ୍କୁ ଉଦ୍ଧାର କରିବା ପାଇଁ ଋଷକୁ ଅନୁରୋଧ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।





