16 ଦିନରେ ପହଂଚିଛି ଋଷ- ୟୁକ୍ରେନ ମଧ୍ୟରେ ଯୁଦ୍ଧ । ଋଷ ସେନା ୟୁକ୍ରେନ ଉପରକୁ ଲଗାତାର ଆକ୍ରମଣ କରି ଚାଲିଥିବା ବେଳେ, ଯାହାର କଡ଼ା ମୁକାବିଲା କରୁଛନ୍ତି ୟୁକ୍ରେନ ସେନା । ଉଭୟ ପରସ୍ପର ଜିଦ୍ ରେ ଅଟଳ ରହିଛନ୍ତି । ତେବେ ଏହାରି ମଧ୍ୟରେ ଗୁରୁବାର ଋଷର ଆଉ ଜଣେ ସେନାଧିକାରୀଙ୍କ ମୃତ୍ୟୁ ହୋଇଥିବା ୟୁକ୍ରେନ୍ ସେନା ଦାବି କରିଛି । କୁହାଯାଉଛି , ଋଷ ଫୋର୍ସ ହେଡକ୍ୱାର୍ଟରର ଡେପୁଟି ଚିଫ୍ ମେଜର ଆଣ୍ଡ୍ରି ବରକ୍ଲାକୋଭଙ୍କୁ ଖେରସନରେ ନିପାତ କରିଛି ୟୁକ୍ରେନ ସେନା । ସେ ଋଷ ରେଜିମେଣ୍ଟର ଚିଫ୍ ଅଫ୍ ଷ୍ଟାଫ୍ ଭାବେ ମଧ୍ୟ କାର୍ଯ୍ୟଭାର ତୁଲାଉଥିଲେ । ଯୁଦ୍ଧ ପାଇଁ ତାଙ୍କ ଉପରେ ଅନେକ ଗୁରୁଦାୟିତ୍ୱ ମଧ୍ୟ ଥିଲା ।

୧୬ ଦିନର ଯୁଦ୍ଧ ମଧ୍ୟରେ ଏହା ହେଉଛି ତୃତୀୟ ଋଷ ସେନାଧିକାରୀଙ୍କ ମୃତ୍ୟୁ । ଏହାପୂର୍ବରୁ ଋଷର ମେଜର ଜନେରାଲ ବିତାଲି ଗେରାସିମୋବ୍ ଏବଂ ମେଜର ଜେନେରାଲ ଆଣ୍ଡ୍ରି ସୁଖୋୱେତସ୍କିଙ୍କ ମୃତ୍ୟୁ ହୋଇସାରିଛି । ଯୁଦ୍ଧରେ ହଜାର ହଜାର ୟୁକ୍ରେନ ନାଗରିକ ଓ ସୈନିକ ପ୍ରାଣ ହରାଇଥିଲେ ବି ଟାଣପଣ ଜାରି ରଖିଛି ୟୁକ୍ରେନ ସେନା । ଋଷର ସୈନିକଙ୍କୁ ମାରିବା ସହ ଏହାର ଯୁଦ୍ଧ ଟ୍ୟାଙ୍କର, ଓ ବିମାନକୁ ନଷ୍ଟ କରିଦେଇଥିବା ଦାବୀ କରୁଛି ୟୁକ୍ରେନ ସେନା ।

ସେପଟେ ଋଷ ଗୋଟିଏ ପଟେ ୟୁକ୍ରେନ ରେ ନରସଂହାର ରଚିଥିବା ବେଳେ, ଅନେକ ଦେଶ ୟୁକ୍ରେନ ସପକ୍ଷରେ ରହି ଋଷ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଏପରିକି ପ୍ରତିବନ୍ଧକ ଲାଗିବା ସ୍ୱତେ ଋଷ ନିଜ ଜିଦ୍ ରେ ଅଟଳ ରହି ଲଗାତାର ଭାବେ ଆକ୍ରମଣ କରି ଚାଲିଛି ।