ୟୁକ୍ରେନ: ୧୭ ଦିନରେ ପହଁଞ୍ଚିଚି ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ | ରୁଷ ସେନା ଲଗାତାର ଭାବେ ଆକ୍ରମଣ କରି ୟୁକ୍ରେନ ର ଗୋଟିଏ ପରେ ଗୋଟିଏ ସହରକୁ ନିଜ କବ୍ଜାକୁ ନେବାରେ ଲାଗିଛନ୍ତି | ୟୁକ୍ରେନ ସେନା ରୁଷ ସେନାଙ୍କ କଡା ମୁକାବିଲା କରୁଥିବା ବେଳେ, ଦକ୍ଷିଣପୂର୍ବ ୟୁକ୍ରେନରେ ଥିବା ମେଲିଟୋପୋଲର ମେୟରଙ୍କୁ ରୁଷ ସେନା ଅପହରଣ କରି ନେଇଥିବା ଅଭିଯୋଗ କରିଛନ୍ତି ୟୁକ୍ରେନର ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କି |
ୟୁକ୍ରେନର ସଂସଦ ପକ୍ଷରୁ ଟ୍ୱିଟ କରି କୁହାଯାଇଛି ଯେ “ସହରକୁ କବଜା କରିବା ପରେ ୧୦ ଜଣିଆ ଦଖଲକାରୀ ଗ୍ରୁପ ମେଲିଟୋପୋଲର ମେୟର ଇଭାନ ଫେଡୋରୋଭଙ୍କୁ ଅପହରଣ କରି ନେଇଛନ୍ତି। ସେ ଶତ୍ରୁଙ୍କ ସହ ବୁଝାମଣା କରିବାକୁ ମନା କରିଥିଲେ। ଏହାପରେ ତାଙ୍କୁ ବନ୍ଧୁକ ମୁନରେ ଅପହରଣ କରି ନିଆଯାଇଛି।
ଅପହରଣ ବେଳେ ସେ ସହରର ବିପର୍ଯ୍ୟୟ ପ୍ରଶମନ କାର୍ଯ୍ୟାଳୟରେ ଥିଲେ। ଯୁଦ୍ଧ ଯୋଗୁ ଲୋକମାନେ ଭୋଗୁଥିବା ସମସ୍ୟାର ସମାଧାନ କରିବା ସହ ସପ୍ଲାଏ ଚେନ୍କୁ ତ୍ୱାରାନ୍ୱିତ କରିବା ପାଇଁ ସେ ପ୍ରୟାସ କରୁଥିଲେ। ଏହି ସମୟରେ ହିଁ ତାଙ୍କୁ ଅପହରଣ କରାଯାଇଛି।”
ଶୁକ୍ରବାର ବିଳମ୍ବିତ ରାତିରେ ଜେଲେନସ୍କି ମଧ୍ୟ ଗୋଟିଏ ଭିଡିଓ ଜାରି କରି ମେୟର ଇଭାନଙ୍କୁ ଅପହରଣ କରାଯାଇଥିବା ଖବରକୁ ନିଶ୍ଚିତ କରିଛନ୍ତି। ସେ ଇଭାନଙ୍କୁ ଜଣେ ସାହାସୀ ମେୟରର ଆଖ୍ୟା ମଧ୍ୟ ଦେଇଛନ୍ତି। ରାଷ୍ଟ୍ରପତି କହିଛନ୍ତି, “ଏହା ଆକ୍ରମଣକାରୀଙ୍କ ଦୁର୍ବଳତାର ସଙ୍କେତ। ସେମାନେ ଏବେ ଆତଙ୍କବାଦର ନୂଆ ଷ୍ଟେଜରେ ପହଞ୍ଚି ଯାଇଛନ୍ତି। ସେମାନେ ୟୁକ୍ରେନର ପ୍ରତିନିଧିମାନଙ୍କୁ ଶାରୀରିକ ଭାବେ ଖତମ କରିବାକୁ ପ୍ରୟାସ ଆରମ୍ଭ କରିଛନ୍ତି।”
