ସର୍ବଭାରତୀୟ କଂଗ୍ରେସ କାର୍ଯ୍ୟକାରୀ କମିଟି ବୈଠକରେ ଆସନ୍ତାକାଲି ଇସ୍ତଫା ଦେବେ ଗାନ୍ଧୀ ପରିବାର ! ଶୋଚନୀୟ ପରାଜୟ ପରେ ଜୋର୍ ଧରିଛି ଚର୍ଚ୍ଚା

ପୁଣି ଥରେ ପରାଜୟର ସାମ୍ନା କରିଛି କଂଗ୍ରେସ । ପାଞ୍ଚ ରାଜ୍ୟର ବିଧାନସଭା ନିର୍ବାଚନ ର ଫଳାଫଳ ସାମ୍ନାକୁ ଆସିଥିବା ବେଳେ, କଂଗ୍ରେସ ର ସ୍ଥିତି ଦୟନୀୟ ହୋଇପଡିଛି । ଏହାରି ମଧ୍ୟରେ ଅସନ୍ତୁଷ୍ଟ ଜି ୨୩ ଗ୍ରୁପ ସକ୍ରିୟ ହୋଇ ଉଠିଛନ୍ତି। ଶୀଘ୍ର ଅଧ୍ୟକ୍ଷ ନିଯୁକ୍ତ କରିବାକୁ ଦାବି ମଧ୍ୟ କରିଛନ୍ତି। ଏହା ମଧ୍ୟରେ ଖବର ଆସିଛି ଯେ, ରବିବାର ସର୍ବଭାରତୀୟ କଂଗ୍ରେସ କାର୍ଯ୍ୟକାରୀ କମିଟି(ସିଡବ୍ଲ୍ୟୁସି)ର ବୈଠକରେ ଗାନ୍ଧୀ ପରିବାର ଇସ୍ତଫା ଦେଇ ପାରନ୍ତି। ସୂତ୍ର ଅନୁଯାୟୀ, ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ତିନି ଜଣ କଂଗ୍ରେସ କାର୍ଯ୍ୟକାରୀ କମିଟିରୁ ନିଜର ଇସ୍ତଫା ଦେଇ ପାରନ୍ତି। ପାଞ୍ଚ ରାଜ୍ୟର ବିଧାନସଭା ନିର୍ବାଚନରେ ଲଜ୍ଜାଜନକ ପରାଜୟ ପରେ ସିଡବ୍ଲ୍ୟୁସି ବୈଠକରେ ବଡ ନିଷ୍ପତ୍ତି ନିଆଯାଇପାରେ।

ରବିବାର ଦିଲ୍ଲୀ କଂଗ୍ରେସ ମୁଖ୍ୟାଳୟରେ ହେବାକୁ ଥିବା କଂଗ୍ରେସର ବୈଠକରେ କିଛି ବଡ ଘଟଣା ହେବାକୁ ଯାଉଛି। ଏନଡିଟିଭିର ରିପୋର୍ଟ ଅନୁଯାୟୀ, ଏହି ବୈଠକରେ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ପାଞ୍ଚ ରାଜ୍ୟରେ ପାର୍ଟିର ଶୋଚନୀୟ ପରାଜୟ ପରେ ଇସ୍ତଫା ଦେଇ ପାରନ୍ତି। ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ଦଳର ନେତୃତ୍ଵ ନେଇଥିଲେ ପ୍ରିୟଙ୍କା ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ । ମାତ୍ର ଏଥର ମଧ୍ୟ କଂଗ୍ରେସକୁ ପରାଜୟର ମୁହଁ ଦେଖିବାକୁ ପଡିଛି। ଦଳ ୟୁପିରେ ନିଜର ଅସ୍ଥିତ୍ଵ ବଜାୟ ରଖିବା ପାଇଁ ସଂଘର୍ଷ କରିବାକୁ ପଡିଛି। ପାର୍ଟି ପ୍ରଦର୍ଶନରେ ନିଜକୁ ନୈତିକ ଦାୟୀ କରି ସୋନିଆ ଗାନ୍ଧୀ, ରାହୁଲ ଏବଂ ପ୍ରିୟଙ୍କା ସିଡବ୍ଲ୍ୟୁସିର ପଦର ଇସ୍ତଫା ଦେଇ ପାରନ୍ତି।

ସୂଚନାଯୋଗ୍ୟ, ଏହା ପ୍ରଥମ ଥର ନୁହେଁ, ୨୦୧୪ରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ପଦ ଛାଡିବାକୁ ପ୍ରସ୍ତାବ ଦେଇଥିଲେ ସୋନିଆ ଏବଂ ରାହୁଲ ।

Related Posts