ପୌର ନିର୍ବାଚନ: ଆଜି ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ

ପୌର ନିର୍ବାଚନ ପାଇଁ ନିର୍ବାଚନ ବିଗୁଲ ବାଜି ସାରିବା ପରେ ପ୍ରାର୍ଥୀ ପତ୍ର ଦାଖଲ ଓ ପ୍ରଚାର ପ୍ରସାର ଆରମ୍ଭ ହୋଇଯାଇଛି | ଏହାରି ମଧ୍ୟରେ ଆଜି ପ୍ରକାଶ ପାଇଁ ଚୂଡାନ୍ତ ପ୍ରାର୍ଥୀ ତାଲିକା | ରାଜ୍ୟର ୧୦୬ଟି ମ୍ୟୁନିସିପାଲିଟି, ଏନ୍ଏସି ଓ ୩ଟି ମହାନଗର ନିଗମ ଭୁବନେଶ୍ୱର, କଟକ ଓ ବ୍ରହ୍ମପୁର ପାଇଁ ଆଜି ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ।

ଗତ ୭ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ ପ୍ରକ୍ରିୟା ଚାଲିଥିଲା। ଏହାପରେ ଗତ ୯ ତାରିଖରେ ଯାଞ୍ଚ ହୋଇଥିଲା ପ୍ରାର୍ଥିପତ୍ର। ପ୍ରାର୍ଥିମାନେ ସେମାନଙ୍କ ସମର୍ଥକଙ୍କ ସହ ଆସି ନିର୍ବାଚନ ଅଧିକାରୀଙ୍କଠାରେ ଦାଖଲ କରିଥିଲେ ପ୍ରାର୍ଥିପତ୍ର। କଟକ ଓ ବ୍ରହ୍ମପୁର ମହାନଗର ନିଗମ ସମେତ ୪୭ଟି ପୌର ପରିଷଦ ଓ ୫୯ଟି ଏନଏସିର ମୋଟ ୧୮୯୯ଟି ୱାର୍ଡରେ ଆସନ୍ତା ମାର୍ଚ୍ଚ ୨୪ ତାରିଖରେ ନିର୍ବାଚନ ହେବ। ଏଥିପାଇଁ ମୋଟ ୪୪୭୫ଟି ବୁଥରେ ପ୍ରାୟ ୪୧ ଲକ୍ଷ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ ।

ସୂଚନାଯୋଗ୍ୟ, ପୌର ନିର୍ବାଚନ ପାଇଁ ୭୦୫୨ଜଣ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର କାଏମ ଥିବାବେଳେ ୧୦୦ଜଣଙ୍କ ନାମାଙ୍କନ ପତ୍ର ରଦ୍ଦ ହୋଇଛି। ସେପଟେ ବିଜେଡି ବିଦ୍ରୋହୀ ପାର୍ଥୀଙ୍କ ଉପରେ ସମସ୍ତଙ୍କ ନଜର ଥିବା ବେଳେ, ସେମାନେ ଲଢେଇ ମଇଦାନ ଛାଡିବେ ନା ଦଳୀୟ ପ୍ରାର୍ଥୀଙ୍କ ବିରୋଧରେ ଖୋଲା ଯୁଦ୍ଧ କରିବେ । ଲଢେଇ ମଇଦାନ ଛାଡିବା ପାଇଁ ସେମାନଙ୍କୁ ରାତି ସାରା ବୁଝାସୁଝା ଜାରି ରହିଥିଲା । କାହାକୁ ଦଳୀୟ ଓ ସରକାରୀ ପଦବୀର ଲୋଭ ଦେଖାଯାଇଛି ତ ଆଉ କାହାକୁ ଚେତାବନୀ ବି ଦିଆଯାଇଛି । ୱାର୍ଡର ବିକାଶ କାର୍ଯ୍ୟରେ ସେମାନଙ୍କୁ ସାମିଲ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି । ବିଦ୍ରୋହୀଙ୍କୁ ବୁଝାଇବାର ମୁଖ୍ୟ ଦାୟିତ୍ୱ ନେଇଛନ୍ତି ଭୁବନେଶ୍ୱରର ତିନି ବିଧାୟକ ଅଶୋକ ପଣ୍ଡା, ସୁଶାନ୍ତ ରାଉତ ଓ ଅନନ୍ତ ନାରାୟଣ ଜେନା ।

Related Posts