ଆଜିକୁ ୧୯ ଦିନରେ ପହଂଚିଛି ଋଷ-ୟୁକ୍ରେନ୍ ମଧ୍ୟରେ ଜାରି ରହିଥିବା ଯୁଦ୍ଧ | ଦୁଇ ଦେଶ ମଧ୍ୟରେ ଲାଗି ରହିଥିବା ଯୁଦ୍ଧ ଦିନକୁ ଦିନ ଆହୁରି ଉଗ୍ର ରୂପ ଧାରଣ କରିବାରେ ଲାଗିଛି | ରୁଷ ସେନା ଲଗାତାର ଭାବେ ୟୁକ୍ରେନ ଉପରକୁ ଆକ୍ରମଣ କରି ଚାଲିଛନ୍ତି | ଯାହାର କଡା ଜବାବ ଦେଉଛନ୍ତି ୟୁକ୍ରେନ ସେନା | ଫଳରେ ଉଭୟ ଦେଶ ମଧ୍ୟରେ ଯୁଦ୍ଧ ଥମିବା ବଦଳରେ ବଢିବାକୁ ଲାଗୁଛି | ଉଭୟ ଦେଶର ସୈନ୍ୟ ଆହତ ହେବା ସହ ସହିଦ ମଧ୍ୟ ହେଉଛନ୍ତି | ତେବେ ଏହାରି ମଧ୍ୟରେ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି କିଭର ଏକ ହସ୍ପିଟାଲ ଗସ୍ତ କରିଛନ୍ତି ।
ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଆହତ ସୈନିକଙ୍କ ସହ ଆଲୋଚନା କରିଛନ୍ତି । ଆହତ ସୈନିକଙ୍କ ମନୋବଳ ବଢାଇଛନ୍ତିି ଜେଲେନସ୍କି । କିଛି ସମୟ ହସ୍ପିଟାଲରେ ରହି ଆହତ ସୈନିକଙ୍କ ସହ ଆଲୋଚନା କରିଥିଲେ । ସେମାନଙ୍କ ସହ ସେଲ୍ଫି ନେଇଥିଲେ । ଏହା ସହ ଆହତ ସୈନିକଙ୍କୁ ସମ୍ମାନିତ କରିଛନ୍ତି । ୟୁକ୍ରେନ୍ ଯୁଦ୍ଧ ଜିତିଲେ ତାହା ସେମାନଙ୍କ ପାଇଁ ସବୁଠୁ ବଡ଼ ଉପହାର ହେବ ବୋଲି କହିଥିଲେ ୟୁକ୍ରେନ୍ ରାଷ୍ଟ୍ରପତି ।
ଅନ୍ୟପଟେ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି ପୁଣିଥରେ ୟୁକ୍ରେନକୁ ନୋ ଫ୍ଲାଇଂ ଜୋନ୍ ଘୋଷଣା କରିବାକୁ ଦାବି କରିଛନ୍ତି | ଏନେଇ ସେ ନାଟୋକୁ ଚେତାଇବାକୁ ଯାଇ କହିଛନ୍ତି ୟୁକ୍ରେନକୁ ନୋ ଫ୍ଲାଇଂ ଜୋନ୍ ଘୋଷଣା ନକରାଗଲେ ନାଟୋ ଉପରେ ବୋମା ବର୍ଷା କରିପାରେ ରୁଷ ସେନା । ଯଦି ୟୁକ୍ରେନକୁ ନୋ ଫ୍ଲାଇଂ ଜୋନ୍ ଘୋଷଣା କରାଯାଏ ତେବେ ଯାହା ଦ୍ୱାରା ରୁଷର ରକେଟ୍ ଓ ମିଜାଇଲ୍ ମାଡରୁ ଦେଶକୁ ରକ୍ଷା କରାଯାଇପାରିବ ।
ସୂଚନାଯୋଗ୍ୟ, ପୂର୍ବରୁ ଜେଲେନସ୍କି ବାରମ୍ବାର ନୋ ଫ୍ଲାଇଂ ଜୋନ୍ ଘୋଷଣା କରିବାକୁ ଦାବି କରିଆସୁଛନ୍ତି |
