ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରୁଷ ଓ ୟୁକ୍ରେନ ମଧ୍ୟରେ ଦୀର୍ଘଦିନ ଧରି ଯୁଦ୍ଧ ଚାଲିଛି । ଏହି ଯୁଦ୍ଧରେ ଉଭୟ ଦେଶର ହଜାର ହଜାର ନାଗରିକ, ସୈନିକ ପ୍ରାଣ ହରାଇଲେଣି । ଏହା ମଧ୍ୟରେ ଆମେରିକାର ଜାତୀୟ ନିରପତ୍ତା ଉପଦେଷ୍ଟା ଜେକ୍ ସୁଲିଭାନ ଚୀନକୁ ଚେତାବନୀ ଦେଇଥିବାର ଦେଖିବାକୁ ମିଳିଛି । ତେବେ ଲାଗୁ ହୋଇଥିବା କଟକଣା ଏଡ଼ାଇ ବେଜିଂ ଯଦି ୟୁକ୍ରେନ୍ ଯୁଦ୍ଧରେ ରୁଷ୍କୁ ସାହାଯ୍ୟ କରେ ତେବେ, ନିଶ୍ଚୟ ତା’ର ପରିଣାମ ଭୋଗିବ ବୋଲି ଯୁକ୍ତରାଷ୍ଟ୍ର ଆମେରିକାର ଜାତୀୟ ନିରାପତ୍ତା ଉପଦେଷ୍ଟା ଜେକ୍ ସୁଲିଭାନ୍ ଚେତାବତୀ ଦେଇଥିଲେ।
ଏହାକୁ ଏକ ମିଛ ଖବର ବୋଲି କହିଛି ଚୀନ। ରୁଷ-ୟୁକ୍ରେନ୍ ଯୁଦ୍ଧରେ ଚୀନ ରୁଷକୁ କୌଣସି ପ୍ରକାର ସାହାଯ୍ୟ କରିବାର ନାହିଁ ବୋଲି ଚୀନର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସ୍ପଷ୍ଟ ହୋଇଛି। ଚୀନର ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ମୁଖପାତ୍ର ଜାଓ ଲିଜିଆନ କିହିଛନ୍ତି, ‘ଚୀନ ଚାଲିଥିବା ରୁଷ-ୟୁକ୍ରେନ୍ ଯୁଦ୍ଧରେ ରୁଷକୁ ଅସ୍ତ୍ରଶସ୍ତ୍ର କ୍ଷେତ୍ରରେ କୌଣସି ପ୍ରକାରର ସାହାଯ୍ୟ କରିବ ନାହିଁ। ଏ ନେଇ ଆମେରିକା ମିଥ୍ୟା ପ୍ରଚାର କରୁଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ୟୁକ୍ରେନ୍ ପ୍ରସଂଗରେ ଚୀନର ଅଭିମୁଖ୍ୟ ସ୍ଥିର ଏବଂ ସ୍ପଷ୍ଟ। ଆମେ ସର୍ବଦା ଶାନ୍ତି ପ୍ରତିଷ୍ଠାରେ ବିଶ୍ବାସ ରଖୁ। ଅନ୍ୟପକ୍ଷରେ ରୁଷ ମଧ୍ୟ କହିଥିଲା ଯେ ସେ ଚୀନର ସାହାଯ୍ୟ ଲୋଡ଼େ ନାହିଁ।
