ରାଜ୍ୟରେ ମୁସଲିମ ସମୁଦାୟଙ୍କ ସଂଖ୍ୟା ସବୁଠାରୁ ଅଧିକ; ସେମାନେ ଆଉ ସଂଖ୍ୟାଲଘୁ ନୁହନ୍ତି: ହିମନ୍ତ ବିଶ୍ୱ ଶର୍ମା

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଜ୍ୟରେ ମୁସଲିମ ସମୁଦାୟଙ୍କ ସଂଖ୍ୟା ସବୁଠାରୁ ଅଧିକ । ଅର୍ଥାତ ଆସାମରେ ୩୫ ପ୍ରତିଶତ ମୁସଲମାନ ବସବାସ କରୁଛନ୍ତି। ତେଣୁ ରାଜ୍ୟରେ ମୁସଲମାନଙ୍କୁ ସଂଖ୍ୟାଲଘୁ କୁହାଯାଇ ପାରିବ ନାହିଁ ବୋଲି କହିଛନ୍ତି ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵ ଶର୍ମା। କେବଳ ଏତିକି ନୁହେଁ ବରଂ ୧୯୯୦ କଶ୍ମୀରୀ ହିନ୍ଦୁଙ୍କ ପଳାୟନ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି ଏବଂ କହିଛନ୍ତି ଅନ୍ୟ ସମୁଦାୟର ଭୟ ଦୂର କରିବା ରାଜ୍ୟରେ ମୁସଲମାନଙ୍କ କର୍ତ୍ତବ୍ୟ। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି । ଆସାମ ବିଧାନସଭାର ବଜେଟ୍ ଅଧିବେଶନରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ବିତର୍କ ସମୟରେ ଶର୍ମା କହିଛନ୍ତି, ଆଜି ମୁସଲିମ ସମୁଦାୟର ଲୋକ ବିରୋଧୀ ଦଳର ନେତା, ବିଧାୟକ ଏବଂ ସେମାନଙ୍କ ନିକଟରେ ସବୁ ପ୍ରକାରର ସୁବିଧା ସୁଯୋଗ ଏବଂ ଶକ୍ତି ରହିଛି। ଏଥିପାଇଁ ଏହା ସୁନିଶ୍ଚିତ କରିବା ମୁସଲମାନଙ୍କ କର୍ତ୍ତବ୍ୟ ଯେ, ଆଦିବାସୀ ଲୋକଙ୍କ ଅଧିକାରର ରକ୍ଷା କରାଯାଉ ଏବଂ ସେମାନଙ୍କର ଜମି କବଜା କରାନଯାଉ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ଷଷ୍ଠ ଅନୁସୂଚୀ କ୍ଷେତ୍ରରେ ରହୁଥିବା ଆଦିବାସୀଙ୍କ ଭୂମି ଉପରେ ଜବରଦଖଲ କରାଯିବାର କୌଣସି ଆବଶ୍ୟକତା ନାହିଁ। ଯଦି ବୋରା ଏବଂ କଳିତା ସେହି ଜମିରେ ବସବାସ କରି ପାରିବେ ନାହିଁ, ତେବେ ଇସଲାମ ଏବଂ ରେହମାନଙ୍କୁ ମଧ୍ୟ ସେହି ଜମିରେ ବସବାସ କରିବାରୁ ନିବୃତ୍ତ ରହିବା ଉଚିତ୍। କ୍ଷମତା ଦାୟିତ୍ଵ ଏବଂ କର୍ତ୍ତବ୍ୟ ସହ ଆସିଥାଏ। ଆସାମ ଜନସଂଖ୍ୟାର ୩୫ ପ୍ରତିଶତ ହେଉଛନ୍ତି ମୁସଲିମ। ଏଥିପାଇଁ ଏଠାରେ ସଂଖ୍ୟାଲଘୁଙ୍କ ଅଧିକାର ରକ୍ଷା କରିବା ସେମାନଙ୍କର ମଧ୍ୟ କର୍ତ୍ତବ୍ୟ ରହିଛି। ତେଣୁ ମୁସଲମାନଙ୍କୁ ମଧ୍ୟ ଶଙ୍କରି ସଂସ୍କୃତି, ସାତ୍ରିୟା ସଂସ୍କୃତିର ସଂରକ୍ଷଣ ବିଷୟରେ ଆଲୋଚନା ହେବାକୁ ଦିଆଯାଉ ବୋଲି ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵ ଶର୍ମା କହିଛନ୍ତି।

Related Posts