ଚାରିବର୍ଷର ଶିଶୁକନ୍ୟା ଅପହରଣ ପରେ ବଳି !

କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ରେ ଗୋଟିଏ 4 ବର୍ଷର ଶିଶୁକନ୍ୟାକୁ ବଳି ଘଟଣାକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି ! ପୋଲିସ ଶିଶୁକନ୍ୟାର ମୃତଦେହ ଜବତ କରି ବ୍ୟବଚ୍ଛେଦ କରିଛି ।

ମୃତ ଶିଶୁକନ୍ୟା ଲାଞ୍ଜିଗଡ଼ ବ୍ଲକ୍‌ ବିଶ୍ବନାଥପୁର ଥାନା ଅଧୀନ ବନ୍ଧପାରି ପଞ୍ଚାୟତ ବାଲିସରା ଗାଁର ସାନ୍ଦ୍ରୁ ମାଝୀଙ୍କ ଝିଅ ଇନ୍ଦୁ । ମଙ୍ଗଳବାର ରାତିରେ ସେ ଘରେ ଶୋଇଥିବା ବେଳେ କେହି ଦୁର୍ବୃତ୍ତ ଇନ୍ଦୁକୁ ଉଠାଇ ନେଇଥିଲା । ପରେ ଗାଁ ମୁଣ୍ତ ରାସ୍ତା କଡ଼ରୁ ଇନ୍ଦୁର ରକ୍ତ ଜୁଡୁବୁଡୁ ମୃତଦେହ ମିଳିଥିଲା । ଇନ୍ଦୁକୁ ଗୁଣି ଗାରେଡ଼ି ‌ଯୋଗୁଁ ହତ୍ୟା କରାଯାଇଥିବା କିମ୍ବା ବଳି ଦିଆଯାଇଥିବା ପ୍ରାଥମିକ ତଦନ୍ତରୁ ସନ୍ଦେହ କରାଯାଉଛି ।

ମଙ୍ଗଳବାର ସାନ୍ଦ୍ରୁ ମାଝୀଙ୍କ ବଡ଼ଶଳା ଖିରସା ମାଝୀଙ୍କ ସ୍ତ୍ରୀ ତିଳ ମାଝୀ ଆତ୍ମହତ୍ୟା କରିବା ଖବର ପାଇ ସାନ୍ଦ୍ରୁ ଓ ତାଙ୍କ ସ୍ତ୍ରୀ ମାତି ମାଝୀ ସ୍ଥାନୀୟ ମାଟିଖଳା ଗାଁକୁ ଯାଇଥିଲେ । ରାତି ହେବାରୁ ଫେରି ନପାରି ସେଠାରେ ରହି ଯାଇଥିଲେ । ତାଙ୍କ ଘରେ 4 ବର୍ଷର ଝିଅ ଇନ୍ଦୁ ଓ ଅଷ୍ଟମ ଶ୍ରେଣୀରେ ପଢୁଥିବା ସାନପୁଅ କୃଷ୍ଣ ଥିଲେ । ଭାଇ-ଭଉଣୀ ରାତିରେ ଖାଇପିଇ ଶୋଇ ଯାଇଥିଲେ ।

କିନ୍ତୁ ରାତିରେ କୃଷ୍ଣର ନିଦ ଭାଙ୍ଗି ଯିବାରୁ ସାନ ଭଉଣୀ ନ ଥିବା ଦେଖିବାକୁ ପାଇଥିଲା । ସେ ପଡ଼ିଶା ଘରର ସାଙ୍ଗ ମୁନା ମାଝୀକୁ ଡାକି ଆଖପାଖରେ ଖୋଜିଥିଲେ । କିନ୍ତୁ ଇନ୍ଦୁକୁ ପାଇନଥିଲେ । ବୁଧବାର ସକାଳୁ ଗାଁ ମୁଣ୍ତ ରାସ୍ତା କଡ଼ରେ ଇନ୍ଦୁର ରକ୍ତ ଜୁଡୁବୁଡୁ ଶବ ପଡିଥିବା ଖବର ମିଳିଥିଲା । ଖବର ପାଇ ବାପ-ମା’ ଆସିବା ପରେ ଥାନାରେ ଅଭିଯୋଗ କରିଥିଲେ ।

ବିଶ୍ବନାଥପୁର ପୋଲିସ ପହଞ୍ଚି ତଦନ୍ତ କରିଥିଲା । ଅତିରିକ୍ତ ଏସ୍‌ପି ମନୋଜ ମହନ୍ତ ଓ କେସିଙ୍ଗା ଏସ୍‌ଡିପିଓ ଗୁପ୍ତେଶ୍ବର ଭୋଇ ପହଞ୍ଚି ସନ୍ଧାନୀ କୁକୁର ସହାୟତାରେ ତଦନ୍ତ କରାଯାଇଥିଲା । ଘର ବାଡିପଟୁ ପଶି କେହି ଦୁର୍ବୃତ୍ତ ଇନ୍ଦୁକୁ ଉଠାଇ ନେଇଥିବା ଜଣାପଡ଼ିଛି ।

ପୋଲିସ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ପୋଲିସ୍‌ ଏ ନେଇ କେସ୍‌ ନ˚. ୫୯/୨୦୧୮ରେ ଏକ ମାମଲା ରୁଜୁ କରିଛି, ତଦନ୍ତ ଚାଲିଥିବା କହିଛନ୍ତି ବିଶ୍ବନାଥପୁର ଥାନାଧିକାରୀ କାହ୍ନୁଚରଣ ସ୍ବାଇଁ ।

Related Posts