ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଉତ୍ତରଖଣ୍ଡର ମୁଖ୍ୟମନ୍ତ୍ରୀ ଭାବରେ ପୁଷ୍କର ସିଂହ ଧାମି ଶପଥ ଗ୍ରହଣ କରିଛନ୍ତି । ସେପଟେ ଶପଥ ଗ୍ରହଣ କରୁ କରୁ ହିଁ ଧାମି ଆକ୍ସନ ମୁଡରେ ଆସିଯାଇଛନ୍ତି । ତେବେ ସରକାର ଗଠନ ପରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ପ୍ରଥମ କ୍ୟାବିନେଟ ବୈଠକ ଆୟୋଜିତ ହୋଇଥିଲା । ଏଥିରେ ଅନେକ ଲୋକାଭିମୁଖୀ କାର୍ଯ୍ୟକୁ ମଞ୍ଜୁରୀ ପ୍ରଦାନ କରାଯାଇଥିବାର ସୂଚନା ମିଳିଛି । କେବଳ ଏତିକି ନୁହେଁ ଉତ୍ତରାଖଣ୍ଡରେ ୟୁନିଫର୍ମ ସିଭିଲ କୋଡ ଲାଗୁ କରିବାକୁ ଦିଆଯାଇଥିବା ପ୍ରସ୍ତାବକୁ ଅନୁମୋଦନ ମିଳିଛି । ତେବେ ମନ୍ତ୍ରୀମଣ୍ଡଳର ସର୍ବସମ୍ମତିକ୍ରମେ ଏହି ପ୍ରସ୍ତାବ ପାରିତ ହୋଇଛି । ଏନେଇ ରାଜ୍ୟର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଘୋଷଣା କରିଛନ୍ତି ।

ସେପଟେ ସରକାର ଗଠନ ହେଲେ ରାଜ୍ୟରେ ୟୁନିଫର୍ମ ସିଭିଲ କୋଡ ଲାଗୁ କରାଯିବ ବୋଲି ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟି ପ୍ରତିଶ୍ରୁତି ଦେଇଥିଲା । ଏଥିପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ ହେବ । ଏହି କମିଟି ୟୁସିସି ଆଇନରେ ଏକ ଡ୍ରାଫ୍ଟ ତିଆରି କରିବ । ଏହା ପରେ ସରକାର ଏହାକୁ ଲାଗୁ କରିବେ । ଅନ୍ୟ ରାଜ୍ୟମାନେ ବି ୟୁସିସି ଲାଗୁ କରିବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକଟ କରିଛନ୍ତି । ଅନ୍ୟପଟେ ଗୋଆ ପରେ ଉତ୍ତରାଖଣ୍ଡ ଦେଶର ପ୍ରଥମ ରାଜ୍ୟ ଯେଉଁଠାରେ ୟୁସିସି ଲାଗୁ ହେବ । ଏ ଖବର ସାମ୍ନାକୁ ଆସିବା ପରେ ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।