ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପୌର ନିର୍ବାଚନ ପାଇଁ ଭୋଟ ଗଣତି ପ୍ରକ୍ରିୟା ଜାରି ରହିଛି । ଭୋଟ ଗଣତିକୁ ନେଇ ଗୋଟିଏ ପରେ ଗୋଟିଏ ଟ୍ରେଣ୍ଡ ଆସିବାରେ ଲାଗିଛି । ତେବେ ଦିନ ୧ଟା ୧୦ ସୁଦ୍ଧା ମିଳିଥିବା ଟ୍ରେଣ୍ଡ ମୁତାବକ ମେୟର ଓ ପୌରାଧ୍ୟକ୍ଷ ଆସନରେ ବିଜେଡି ଯଥେଷ୍ଟ ଆଗରେ ରହିଥିବାବେଳେ ବିରୋଧୀ ପଛରେ ପଡ଼ିଛନ୍ତି । ବର୍ତ୍ତମାନର ଟ୍ରେଣ୍ଡ ଅନୁସାରେ ୭୫ଟି ଆସନରେ ବିଜେଡି ଆଗୁଆ ରହିଥିବାବେଳେ ବିଜେପି ୧୭ ଆସନରେ ଆଗରେ ରହିଛି । ସେପଟେ ପଞ୍ଚାୟତ ଭଳି ପୌର ନିର୍ବାଚନରେ କଂଗ୍ରେସ ‘ହାତ’ ପଛରେ ପଡ଼ିଛି । ଦଳ ଏଯାବତ୍ ୭ଟି ଆସନରେ ଧିରେ ଧିରେ ଆଗୁଆ।
ତେବେ ସକାଳ ୮ଟାରୁ ଆରମ୍ଭ ହୋଇଥିବା ଭୋଟ୍ ଗଣତି ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି ରାଜ୍ୟ ନିର୍ବାଚନ କମିସନ । ପ୍ରତି ଏନଏସିରେ କାଉନସିଲର ଓ ଅଧ୍ୟକ୍ଷ ପଦ ପାଇଁ ୨ଟି ଲେଖାଏଁ ଟେବୁଲ ରହିଛି । ମ୍ୟୁନିସିପାଲିଟିରେ କର୍ପୋରେଟର ଓ ଅଧ୍ୟକ୍ଷ ପଦ ପାଇଁ ୫ଟି ଲେଖାଏଁ ଟେବୁଲରେ ଗଣତି ହେଉଛି । ମହାନଗର ନିଗମରେ କର୍ପୋରେଟର ଓ ମେୟର ପ୍ରାର୍ଥୀଙ୍କ ଭୋଟ ଗଣତି ପାଇଁ ୧୨ଟି ଲେଖାଏଁ ଟେବୁଲରେ ଭୋଟ୍ ଗଣତି ଚାଲିଛି । ପ୍ରତି ଟେବୁଲରେ ଜଣେ କାଉଁଟିଂ ଅଫିସର, ଜଣେ କାଉଁଟିଂ ଆସିଷ୍ଟାଂଟ ଓ ସହାୟତା କରିବାକୁ ଜଣେ ଗ୍ରୁପ-ଡି କର୍ମଚାରୀ ନିୟୋଜିତ ଅଛନ୍ତି ।





