ଅପରାଧୀଙ୍କୁ ଘାରିଛି ଯୋଗୀ ଭୟ, 15 ଦିନରେ ଆତ୍ମସମର୍ପଣ କଲେଣି 50 ଜଣ

ୟୁପି: ବିପୁଳ ସମର୍ଥନ ସହ ପୁଣି ଥରେ କ୍ଷମତା କୁ ଫେରିଛନ୍ତି ଯୋଗୀ ଆଦିତ୍ୟନାଥ ସରକାର । ଦ୍ଵିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ରାଜ୍ୟର ଦାୟିତ୍ଵ ଭାର ସମ୍ଭାଳିଛନ୍ତି । ମାର୍ଚ୍ଚ ୧୦ରେ ବିଧାନସଭା ନିର୍ବାଚନ ଫଳାଫଳରେ ବିଜେପି ଏକ ବଡ ବିଜୟ ହାସଲ କରିବା ପରଠାରୁ ଏପର୍ଯ୍ୟନ୍ତ ୫୦ଜଣ ଅପରାଧୀ ଆତ୍ମସମର୍ପଣ କରିଛନ୍ତି। କାଳେ ଅପରାଧ କଲେ ଯୋଗୀ ସରକାର ଏନକାଉଣ୍ଟର କରିଦେବେ ସେହି ଭୟରେ ଏବେ ଆତ୍ମସମର୍ପଣ କରିବାକୁ ଥାନାରେ ଅପରାଧୀଙ୍କ ଭିଡ ଦେଖିବାକୁ ମିଳୁଛି | କେବଳ ଏତିକି ନୁହେଁ, କିଛି ଅପରାଧୀ ନିଜ ବେକରେ ପ୍ଲାକାର୍ଡ ଟାଙ୍ଗି ବୁଲୁଛନ୍ତି, ଯେଉଁଥିରେ ଲେଖାଯାଇଛି ଯେ ‘ମୁଁ ଆତ୍ମସମର୍ପଣ କରୁଛି। ଦୟାକରି ଗୁଳି କରନ୍ତୁ ନାହିଁ’ |

ଉତ୍ତରପ୍ରଦେଶ ପୁଲିସର ଏଡିଜି ଆଇନ ପ୍ରଶାନ୍ତ କୁମାର କହିଛନ୍ତି ଯେ ଏହି ୫୦ ଜଣ ଅପରାଧୀ କେବଳ ଆତ୍ମସମର୍ପଣ କରିନାହାଁନ୍ତି ବରଂ ଅପରାଧ ଛାଡିବା କଥା ମଧ୍ୟ କହିଛନ୍ତି। ଏହି ୧୫ ଦିନ ମଧ୍ୟରେ ଏନକାଉଣ୍ଟରରେ ଦୁଇଜଣ ଅପରାଧୀଙ୍କୁ ଗୁଳି କରାଯାଇଛି। ଏହା ବ୍ୟତୀତ ଅନ୍ୟ ୧୦ ଜଣଙ୍କୁ ଗିରଫ କରାଯାଇଛି। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ସୁଦୃଢ କରିବା ପାଇଁ ମାଇକ୍ରୋ ପ୍ଲାନିଂ କରାଯାଉଛି ବୋଲି କୁମାର କହିଛନ୍ତି।

ସେ କହିଛନ୍ତି ଯେ ଗୋଟିଏ ପଟେ ମାଫିଆଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ଏବଂ ଅନ୍ୟ ପଟେ ୧୧୨ ପାଟ୍ରୋଲିଂକୁ ମଧ୍ୟ ମଜବୁତ କରାଯାଇଛି | ବଡ଼କଥା ଯେ ପୁଲିସର ବଦଳୁଥିବା ଏହି ରୂପକୁ ଦେଖି ଏବେ ଭୟରେ ଥରୁଛନ୍ତି ଅପରାଧୀ | ଯେଉଁଥିପାଇଁ ମାତ୍ର ୧୫ ଦିନ ମଧ୍ୟରେ ପ୍ରାୟ ୫୦ ଜଣ ଅପରାଧୀ ଆତ୍ମସମର୍ପଣ କରିବା ସହ ଆଉ ଅପରାଧ କରିବେ ନାହିଁ ବୋଲି ସ୍ବୀକାରୋକ୍ତି ଲେଖୁଛନ୍ତି ।

ସୂଚନାଯୋଗ୍ୟ, ଯୋଗୀ ସରକାରଙ୍କ ଶପଥ ଗ୍ରହଣ ଦିନ ବି ୟୁପି ରେ ଏଙ୍କାଉଣ୍ଟର୍ ହୋଇଥିଲା ।

Related Posts