ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ଆସନ୍ତାକାଲି ଦ୍ୱିତୀୟ ଥର ପାଇଁ ଗୋଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ପ୍ରମୋଦ ସାୱନ୍ତ

ଗୋଆ: ଗୋଆ ମୁଖ୍ୟମନ୍ତ୍ରୀ ଭାବେ ପ୍ରମୋଦ ସାୱନ୍ତ ଆସନ୍ତାକାଲି ଦ୍ୱିତୀୟ ଥର ପାଇଁ ଶପଥ ଗ୍ରହଣ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ‌ମୋଦୀଙ୍କ ଉପସ୍ଥିତିରେ ପ୍ରମୋଦ ସାୱନ୍ତ ସମ୍ଭାଳିବେ ମୂଖ୍ୟମନ୍ତ୍ରୀ ପଦ । ଆଜି ଜଣେ ଅଧିକାରୀ ଏହି ସୂଚନା ଦେଇଛନ୍ତି। ସକାଳ ୧୧ ଟାରେ ପାଣାଜୀର ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀ ଷ୍ଟାଡିୟମରେ ଏହି ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ଏହି ସମାରୋହରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଉପସ୍ଥିତ ରହିବେ ବୋଲି ସୂଚନା ମିଳିଛି।

ଷ୍ଟାଡିୟମରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ୧୦,୦୦୦ରୁ ଅଧିକ ଲୋକ ଯୋଗଦେବେ ଏବଂ ଶପଥ ଗ୍ରହଣ ସମାରୋହ ରାଜ୍ୟର ବିଭିନ୍ନ ନ୍ୟୁଜ୍ ଚ୍ୟାନେଲ ମାଧ୍ୟମରେ ପ୍ରସାରିତ ହେବ। ତେବେ ଆସନ୍ତାକାଲି ଶପଥ ଗ୍ରହଣ କରିବାକୁ ଥିବା ଅନ୍ୟ କ୍ୟାବିନେଟ ମନ୍ତ୍ରୀଙ୍କ ସଂଖ୍ୟା ଉପରେ ବିଜେପି ଏପର୍ଯ୍ୟନ୍ତ ନିରବ ରହିଛି। ଏନେଇ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତଙ୍କୁ ପଚରାଯାଇଥିବା ବେଳେ ସେ କହିଥିଲେ ଯେ, ଆସନ୍ତାକାଲି ଆପଣ ଏହା ବିଷୟରେ ଜାଣିବ। ବର୍ତ୍ତମାନ ମୁଁ ଜାଣେ ନାହିଁ କେତେ ମନ୍ତ୍ରୀ ଶପଥ ନେବେ। ତେବେ ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ ଗୋଆ କ୍ୟାବିନେଟରେ ଆହୁରି ୧୧ଜଣ ମନ୍ତ୍ରୀ ରହିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଦ୍ୱିତୀୟ ଥର ପାଇଁ ଗୋଆ ମୁଖ୍ୟମନ୍ତ୍ରୀ ରାଜ ଭବନ କମ୍ପ୍ଲେକ୍ସ ବାହାରେ ଶପଥ ଗ୍ରହଣ କରିବେ।

Related Posts