ନିର୍ବାଚନୀ ହିଂସା: ପାଟଣାଗଡ଼ରେ ସମିତି ସଭ୍ୟାଙ୍କ ସ୍ବାମୀଙ୍କୁ ଗୁଳି କରି ହତ୍ୟା

ବଲାଙ୍ଗୀର: ବଲାଙ୍ଗିର ପାଟଣାଗଡ଼ରେ ଫୁଟିଲା ଗୁଳି । ନିର୍ବାଚନ ପରବର୍ତ୍ତୀ ହିଂସା ଦେଖିବାକୁ ମିଳିଛି । ଗୁଳି ମାରି ସମିତି ସଭ୍ୟାଙ୍କ ସ୍ବାମୀଙ୍କୁ ହତ୍ୟା କରିଛନ୍ତି ଦୁର୍ବୃତ୍ତ । ମୃତକଙ୍କ ନାମ ଲୋକନାଥ ବିଶ୍ୱାଳ ବୋଲି ଜଣାପଡିଛି । ଘଟଣାରେ ଜଣେ ଅଭିଯୁକ୍ତ ଫେରାର ହୋଇଥିବା ବେଳେ ୨ ଜଣଙ୍କୁ କାବୁ କରିବାରେ ସଫଳ ହୋଇଛି ପୋଲିସ ।

ଖବର ଅନୁଯାୟୀ, ବଲାଙ୍ଗୀର ବାଗଦୋର ପଞ୍ଚାୟତର ସମିତିସଭ୍ୟ ବନିତା ବିଶ୍ୱାଳଙ୍କ ସ୍ୱାମୀ ଲୋକନାଥ ବିଶ୍ୱାଳ ନିଜ ଘର ସମ୍ମୁଖରେ ଛିଡା ହୋଇଥିବା ସମୟରେ ୩ଜଣ ଦୁର୍ବୃତ୍ତ ଏକ ଲାଲ ରଙ୍ଗର ଡିଲକ୍ସ ଗାଡ଼ିରେ ଆସି ଆଖିବୁଜା ଗୁଳି ମାଡ଼ କରି ଘଟଣା ସ୍ଥଳରୁ ଫେରାର ହୋଇଯାଇଛନ୍ତି । ତାଙ୍କ ଛାତିରେ ଗୁଳି ବାଜିଥିଲା । ଲୋକନାଥଙ୍କୁ ତୁରନ୍ତ ବେଳପଡା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା , ହେଲେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି ।

ତେବେ ଲୋକନାଥଙ୍କ ମୃତ୍ୟ ପୂର୍ବରୁ ତାଙ୍କ ପରିବାର ଲୋକେ ଏକ ଭିଡିଓ ରେକର୍ଡ କରିଥିଲେ । ଭିଡିଓରେ ଲୋକନାଥ କହିଥିଲେ ଯେ, ଗାଁର ବସୁଦେଵ ଏବଂ ଆଉ ଦୁଇଜଣ ସାଙ୍ଗରେ ଆସି ତାଙ୍କ ଉପରକୁ ଗୁଳି ଚଳାଇଛନ୍ତି । ଅନ୍ୟପଟେ ଗୁଳି ମାରି ୩ଜଣ ଅଭିଯୁକ୍ତ ଲାଠୋର ରାସ୍ତାରେ ଫେରାର ହେଉଥିବା ବେଳେ ନାକାବନ୍ଦୀ କରିଥିଲା ପୋଲିସ। ତିନି ଦୁର୍ବୃତ୍ତ ଲାଠୋର ଥାନା ଅଞ୍ଚଳରେ ଥିବା ଲାନ୍ତ ନଦୀ ନିକଟରେ ଥିବା ବେଳେ ପୋଲିସ ସହ ମୁହାଁମୁହିଁ ହୋଇଥିଲେ । ଦୁଇଜଣଙ୍କୁ ପୋଲିସ କାବୁ କରିଥିବା ବେଳେ ଜଣେ ଫେରାର ହୋଇଯାଇଛି । ରାଜନୈତିକ ପୂର୍ବ ଶତ୍ରୁତାରୁ ଏହି ଘଟଣା ଘଟିଥିବା ଜଣାପଡିଛି। ପୋଲିସ ଏହି ଘଟଣାରେ ଅଧିକ ଛାନଭିନ ଜାରି ରଖିଛି ।

ମୃତ୍ୟୁ ପୂର୍ବରୁ ସମିତି ସଭ୍ୟ ବନିତା ବିଶ୍ୱାଳ ଙ୍କ ସ୍ୱାମୀ ଲୋକନାଥ କିଛି ନା କହିଥିଲେ ଯାହାକୁ ନେଇ ତଦନ୍ତ ଆରମ୍ଭ କରିଛି ପୋଲିସ । ସେପଟେ ଏହି ଘଟଣାକୁ ନେଇ ଅଂଚଳରେ ଉତେଜନା ଦେଖା ଦେଇଛି ।

Related Posts