ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଭାରତରେ ଦିନକୁ ଦିନ ତୈଳ ଦର ହୁ ହୁ ହୋଇ ବଢ଼ିବାରେ ଲାଗିଛି । ସେପଟେ ବୃଦ୍ଧି ହେବା ପଛରେ ରୁଷ ଓ ୟୁକ୍ରେନର ଯୁଦ୍ଧକୁ ଦୋଷ ଦିଆଯାଉଥିବାବେଳେ ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂ ପୁରୀ ଦର ବୃଦ୍ଧିକୁ ନେଇ ବଡ଼ ବୟାନ ଦେଇଛନ୍ତି । ତେବେ ବିରୋଧୀଙ୍କ ପ୍ରଶ୍ନର ଉତ୍ତର ଦେଇ ହରଦୀପ ସିଂ ପୁରୀ ଭାରତର ତୈଳ ଦରବୃଦ୍ଧିକୁ ଆମେରିକା ଏବଂ ବ୍ରିଟେନରେ ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧି ସହିତ ତୁଳନା କରିଛନ୍ତି।ହରଦୀପ ସିଂ ପୁରୀ କହିଛନ୍ତି, ଗତ ଦୁଇ ସପ୍ତାହ ମଧ୍ୟରେ ଭାରତରେ ପେଟ୍ରୋଲ ଦର ୫% ବୃଦ୍ଧି ପାଇଛି। କେବଳ ଭାରତରେ ତୈଳ ଦରବୃଦ୍ଧି ହୋଇନାହିଁ। ଏପ୍ରିଲ ୨୦୨୧ରୁ ମାର୍ଚ୍ଚ ୨୦୨୨ ମଧ୍ୟରେ ପେଟ୍ରୋଲର ମୂଲ୍ୟ ଆମେରିକାରେ ୫୧%, କାନାଡାରେ ୫୨%, ଜର୍ମାନୀରେ ୫୫%, ବ୍ରିଟେନରେ ୫୫%, ଫ୍ରାନ୍ସରେ ୫୦% ଏବଂ ସ୍ପେନରେ ୫୮% ବୃଦ୍ଧି ପାଇଛି, ଯାହା ଭାରତର ଦରବୃଦ୍ଧି ତୁଳନାରେ ଢ଼େର ଅଧିକ। ଗତ ଦୁଇ ସପ୍ତାହ ମଧ୍ୟରେ ତୈଳ କମ୍ପାନିଗୁଡ଼ିକ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଧୀରେ ଧୀରେ ବୃଦ୍ଧି କରିଛନ୍ତି।
ସରକାରୀ ତୈଳ କମ୍ପାନିଗୁଡ଼ିକ ପେଟ୍ରୋଲ ଏବଂ ଡିଜେଲର ଦୈନିକ ମୂଲ୍ୟ ବୃଦ୍ଧି କରି ସାଧାରଣ ଲୋକଙ୍କୁ ମୁଦ୍ରାସ୍ଫୀତିର ଝଟକା ଦେଉଛନ୍ତି। ଗତ ୨ ସପ୍ତାହ ମଧ୍ୟରେ ଗାଡି ଇନ୍ଧନ, ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଲିଟର ପିଛା ୯.୨୦ ଟଙ୍କା ବୃଦ୍ଧି କରାଯାଇଛି। ଦୁଇ ସପ୍ତାହ ମଧ୍ୟରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ୧୩ ଥର ବୃଦ୍ଧି ପାଇଛି। ମାର୍ଚ୍ଚ ୨୨ରୁ ଆରମ୍ଭ ହୋଇଥିବା ବୃଦ୍ଧି ପ୍ରକ୍ରିୟା ଥମିବାର ନାଁ ନେଉନାହିଁ। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିଛି ।
