ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପାକିସ୍ତାନ ସୋସିଆଲ ମିଡିଆରେ ଟ୍ରେଣ୍ଡ ହେଉଛନ୍ତି ଅଟଳ ବିହାରୀ ବାଜପେୟୀ । ତେବେ ୧୯୯୯ ମସିହାରେ ବାଜପେୟୀଙ୍କ ସରକାର ସଂସଦରେ ସଂଖ୍ୟାଗରିଷ୍ଠତା ହରାଇଥିଲା। ଗୋଟିଏ ଭୋଟ ଉଣା ହେଉଥିବା ବାଜପେୟୀ ଜାଣିବା ପରେ ସିଧା ରାଷ୍ଟ୍ରପତି ଭବନକୁ ଯାଇ ତାଙ୍କର ଇସ୍ତଫା ପତ୍ର ପ୍ରଦାନ କରିଥିଲେ। ଏହି ଘଟଣା କାଳର ଭାଷଣ ଓ ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରିବୁଲୁଥିବା ବେଳେ ଇମ୍ରାନ ଯଦି ଭାରତ ଓ ଏହାର ନୀତିକୁ ଏତେ ପ୍ରଶଂସା କରୁଛନ୍ତି ତେବେ ବାଜେପୀୟଙ୍କ ଭଳି ପଦକ୍ଷେପ ନେଉ ନାହାନ୍ତି କାହିଁକି ବୋଲି ବିପକ୍ଷ କହୁଛନ୍ତି। ସେପଟେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବେବି ଅନସ୍ଥା ପ୍ରସ୍ତାବ ଟାଳିବା ଲାଗି ବାହାନା କରୁଛନ୍ତି। ଏଣୁ ପାକିସ୍ତାନରେ ପୂର୍ବତନ ଭାରତୀୟ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଭାଷଣ ଟ୍ରେଣ୍ଡ କରୁଛି। ଇମ୍ରାନ ଭାରତକୁ ତାରିଫ କରିବା ଓ ଅନାସ୍ଥା ପ୍ରସ୍ତାବରୁ ବର୍ତ୍ତିବା ଲାଗି ଉଦ୍ୟମରେ ପରସ୍ପର ବିରୋଧାଭାସ ରହୁଛି। ଏଣୁ ଇମ୍ରାନ ଖାନଙ୍କୁ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଠାରୁ ଶିଖିବା ଦରକାର ବୋଲି ଜିଓ ଟିଭିରେ ପ୍ରସାରଣ ହେଉଛି।

ଗତବର୍ଷ ପର୍ୟ୍ୟନ୍ତ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହିଟଲରଙ୍କ ସହ ତୁଳନା କରୁଥିବା ଇମ୍ରାନ ଏବେ ଲଗାତାର ଭାରତର ଗୁଣଗାନ କରୁଛନ୍ତି। ସେ କହୁଛନ୍ତି କୌଣସି ମହାଶକ୍ତିର ଚାପରେ ନ ଆସି ଦେଶକୁ କିପରି ଚଳାଯିବା ଦରକାର ତାହା ପାକିସ୍ତାନ ଭାରତଠୁ ଶିଖିବା ଦରକାର। ଗତ ମାର୍ଚ୍ଚ ୨୦୨୧ରେ ଇମ୍ରାନ ଖାନ ସଂସଦରେ ଅନସ୍ଥା ପ୍ରସ୍ତାବରୁ ଅଳ୍ପକେ ବର୍ତ୍ତିଥିଲେ। ତେବେ ନିକଟରେ ତେହେରିକ-ଏ- ଇନସାଫ ପାର୍ଟିକୁ ସମର୍ଥନ ଦେଇଥିବା ରାଜନୈତିକ ଦଳମାନେ ଏବେ ସରକାରରୁ ଓହରି ଯାଇଛନ୍ତି। ପାକିସ୍ତାନରେ ସରକାର କରିବାକୁ ହେଲେ ନିମ୍ନ ସଦନରେ ଅନୁନ୍ୟ ୧୭୨ ସଦସ୍ୟଙ୍କ ସମର୍ଥନ ରହିବା ଦରକାର ତେବେ ଇମ୍ରାନଙ୍କ ପ୍ରତି ଏଠାରେ ୧୫୫ ସଦସ୍ୟଙ୍କ ସମର୍ଥନ ରହୁଛି। ଏଣୁ ଇମ୍ରାନ ଏବେ ସଂସଦରେ ଅନାସ୍ଥା ପ୍ରସ୍ତାବର ସମ୍ମୁଖୀନ ହୋଇଥିବା ବେଳେ ଜେନତେନ ପ୍ରକାରେ ଟାଳିବାକୁ ଚାହୁଁଛନ୍ତି। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।