ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଇମ୍ରାନଙ୍କ ଦଳରୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେଲେ ଶାହ ମହମ୍ମଦ କୁରେଶୀ । ତେବେ ବିରୋଧୀ ଦଳରୁ ଶେହବାଜ ଶରିଫ ପ୍ରଧାନମନ୍ତ୍ରୀ ପ୍ର୍ରାର୍ଥୀ ହୋଇଥିବାବେଳେ ଇମ୍ରାନ ଖାନଙ୍କ ଦଳ ପିଟିଆଇରୁ ଶାହ ମହମ୍ମଦ କୁରେଶୀ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହୋଇଛନ୍ତି । ସେପଟେ ଆସନ୍ତାକାଲି ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ବଛାଯିବ। ଶେହବାଜ ଶରିଫ ପିଏମଏଲଏନର ନେତା ହୋଇଥିବାବେଳେ ଶାହ ମେହମୁଦ କୁରେଶୀ ଇମ୍ରାନ ସରକାରରେ ବୈଦେଶିକ ମନ୍ତ୍ରୀଭାବେ କାର୍ୟ୍ୟଭାର ସମ୍ଭାଳି ସାରିଛନ୍ତି। ନିର୍ବାଚନ ପାଇଁ ଶେହାବାଜ ଆଜି ଅପରାହ୍ନ ୪ଟାରେ ତାଙ୍କ ନାମାଙ୍କନପତ୍ର ଦାଖଲ କରିଥିବା ବେଳେ ଶାହ ମେହମୁଦ କୁରେଶୀ ମଧ୍ୟ ତାଙ୍କ ନାମାଙ୍କନପତ୍ର ଦାଖଲ କରିସାରିଥିବା ଜଣାପଡ଼ିଛି।

ଦୁଇ ଦଳ ନିଜ ନିଜର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ବାଛି ସାରିଥିବା ବେଳେ ଆସନ୍ତାକାଲି ଅପରାହ୍ନ ୨ଟାରେ ପାକିସ୍ତାନର ନୂତନ ପ୍ରଧାନମନ୍ତ୍ରୀ କିଏ ହେବ? ତାହା ଜଣାପଡ଼ିବ। ସେହିପରି, ‘ପାକିସ୍ତାନ୍ ପିପୁଲସ୍ ପାର୍ଟି’ର ମୁଖ୍ୟ ବିଲାୱାଲ୍ ଭୁଟ୍ଟୋଙ୍କୁ ନୂତନ ସରକାରରେ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଭାବେ ନିଯୁକ୍ତି ମିଳିବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ଗଣମାଧ୍ୟମ ସବୁ ରିପୋର୍ଟ କରୁଛନ୍ତି। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିଛି ।