![](https://www.satyapatha.com/wp-content/uploads/2022/04/jay.jpg)
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ହିମାଚଳ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ରାଜନୈତିକ ଦଳମାନେ ଚଳଚଞ୍ଚଳ ହୋଇ ଉଠିଛନ୍ତି । ସେପଟେ ବିରୋଧୀ ଶାସକ ଦଳ ମଧ୍ୟରେ ବୟାନ ବାଜି ମଧ୍ୟ ଆରମ୍ଭ ହୋଇଗଲାଣି । ହେଲେ ଏଥର ବିଜେପି କାହାକୁ ରାଜ୍ୟ ପାଇଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିବ ସେନେଇ ଅନେକ କଳ୍ପନାଜଳ୍ପନା ଚାଲିଥିଲା । ଏପରିକି ଆପ ନେତା ତଥା ଦିଲ୍ଲୀ ଗୃହମନ୍ତ୍ରୀ ମନୀଷ ସିସୋଦିଆ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ ବୋଲି କହିଥିଲେ । ଏହା ମଧ୍ୟରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆଜି ରାଜ୍ୟର ମୁଖ୍ୟମନ୍ତ୍ରୀ ଚେହେରାଙ୍କ ନାମ ଘୋଷଣା କରିଥିବାର କଥା ସାମ୍ନାକୁ ଆସିଛି । ତେବେ ମୁଖ୍ୟମନ୍ତ୍ରୀ ବଦଳିବେ ନାହିଁ କିମ୍ବା କୌଣସି ମନ୍ତ୍ରୀ ବଦଳିବେ ନାହିଁ।
ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କ ନେତୃତ୍ୱରେ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ ବୋଲି ନଡ୍ଡା କହିଛନ୍ତି । ସେପଟେ ଶିମଲାର ପିଟରହୋଫରେ ରବିବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ନଡ୍ଡା କହିଛନ୍ତି ଯେ ସଂଗଠନ କଥା କହିବାକୁ ଗଲେ ହିମାଚଳପ୍ରଦେଶରେ ସରକାର ଏବଂ ସଂଗଠନ ମଧ୍ୟରେ ଭଲ ସମନ୍ୱୟ ରହିଛି । ସେହିପରି ମହାସମ୍ପର୍କ ଅଭିଯାନ ୩୦ ଏପ୍ରିଲ ପର୍ୟ୍ୟନ୍ତ ଚାଲିବାକୁ ଥିବାବେଳେ ସରକାରୀ ଯୋଜନାଗୁଡିକ ଲୋକଙ୍କ ନିକଟରେ ପହଞ୍ଚୁଛି କି ନାହିଁ ତାହା ଜାଣିବାକୁ ଚେଷ୍ଟା କରାଯାଉଛି ବୋଲି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।