ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କଣ୍ଟେନରରେ ଜଳିଗଲା ୪୦ ଇ-ସ୍କୁଟର । ମୁମ୍ବାଇ-ଆଗ୍ରା ଜାତୀୟ ରାଜପଥରେ ଏକ ଟ୍ରକରେ ନିଆଁ ଲାଗି ୪୦ଟି ଇଲେକ୍ଟ୍ରିକ୍ ସ୍କୁଟର ଜଳି ଯାଇଛି । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଁଚି ନିଆଁକୁ ଆୟତ୍ତ କରିଛି । ପୋଲିସର ସୂଚନାନୁସାରେ, ସୋମବାର ସନ୍ଧ୍ୟାରେ ଏକ ଟ୍ରକ ୪୦ରୁ ଅଧିକ ଇଲେକ୍ଟ୍ରିକ୍ ସ୍କୁଟର୍ ଧରି ନାସିକରୁ ଆଗ୍ରା ଅଭିମୁଖେ ଯାଉଥିଲା । ଏହା ଆଗ୍ରାରୁ ବେଙ୍ଗାଲୁରୁ ଯାଇଥାନ୍ତା । କିନ୍ତୁ ଜାତୀୟ ରାଜପଥରେ ପହଁଚିବାର କିଛି ସମୟ ପରେ ଏଥିରେ ନିଆଁ ଲାଗିଯାଇଥିଲା ।

ତୁରନ୍ତ ଏନେଇ ଦମକଳ ବାହିନୀକୁ ଖବର ଦିଆଯାଇଥିଲା । ଏକ ଘଣ୍ଟା ମଧ୍ୟରେ ଦମକଳ ବାହିନୀ ପହଁଚି ନିଆଁକୁ ଆୟତ୍ତ କରିଥିଲା । ସେପଟେ ଟ୍ରକରେ ଥିବା ୪୦ଟି ଇଲେକ୍ଟ୍ରିକ୍ ଗାଡିରୁ ୨୦ଟି ଜଳି ପାଉଁଶ ହୋଇଯାଇଛି । କିନ୍ଥୁ ସ୍ଥାନୀୟ ଲୋକେ ସମସ୍ତ ୪୦ଟି ଗାଡି ଜଳି ଯାଇଥିବା ପ୍ରକାଶ କରିଛନ୍ତି । ତେବେ କଣ ପାଇଁ ନିଆଁ ଲାଗିଲା ସେନେଇ ତଦନ୍ତ ହେବ । ଇଭି ସ୍କୁଟର୍ କମ୍ପାନୀ ଏକ୍ସପର୍ଟ ଟିମକୁ ପଠାଇ ତଦନ୍ତ କରିବ ବୋଲି ପ୍ରକାଶ କରିଛି । ଏ ଖବର ସାମ୍ନାକୁ ଆସିବା ପରେ ସାର ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିଛି ।