ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ସୁପ୍ରିମକୋର୍ଟଙ୍କ ଆଦେଶକୁ ଏମସିଏଲର ବେଖାତିର । ବିସ୍ଥାପିତଙ୍କୁ ଥଇଥାନ ନକରି ବେଆଇନ ଖଣି ଖନନ ଆରମ୍ଭ କରିଛି ଏମସିଏଲ । ଯାହାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଜୋର ଧରିଛି । ତେବେ ଖଣିରେ ଜମି ହରାଉଥିବା ବ୍ୟକ୍ତି କ୍ଷତିପୂରଣ ସହ ପୁନର୍ବାସ ଓ ଥଇଥାନ ସୁବିଧା ନ ପାଇବା ଯାଏ କୌଣସି କମ୍ପାନି ବିସ୍ଥାପିତଙ୍କ ଜମିବାଡ଼ି, ଘରଦ୍ବାର, ରାସ୍ତାଘାଟ, ଜଙ୍ଗଲ କି ଜଙ୍ଗଲ ଜମି ନିଜ କବ୍ଜାକୁ ନେଇପାରିବ ନାହିଁ। ହେମଗିରସ୍ଥ ଏମସିଏଲ୍ ବିସ୍ଥାପିତଙ୍କ ପ୍ରସଙ୍ଗରେ ସୁପ୍ରିମକୋର୍ଟ କ୍ଲେମ୍ କମିସନ ଜରିଆରେ ଗୋପାଳପୁର ପାର୍ଟ-୧ରେ ଏହି ଆଦେଶ ଜାରି କରିଛନ୍ତି। ଏହାଛଡ଼ା ଓଡ଼ିଶା ସରକାରଙ୍କ ଜମି ଅଧିଗ୍ରହଣ ନିୟମରେ ମଧ୍ୟ ଏହା ସ୍ପଷ୍ଟ ଉଲ୍ଲେଖ ରହିଛି। କିନ୍ତୁ ସୁପ୍ରିମକୋର୍ଟଙ୍କ ଏହି ଆଦେଶକୁ ବେଖାତିର କରି ଏମ୍ସିଏଲ୍ ବେଆଇନ ଖଣି ଖନନ ଆରମ୍ଭ କରିଛି।
ସେପଟେ ଏମ୍ସିଏଲ୍ ବଲିଙ୍ଗା ଓ ସିଆରମାଲରେ ଜୋର୍ଜବରଦସ୍ତ ଲୋକଙ୍କ ଘର ଭାଙ୍ଗିଦେଇଛି ଏମ୍ସିଏଲ୍। ତୁମୁଲିଆ ପଞ୍ଚାୟତର ମୁଖ୍ୟ ସଂଯୋଗକାରୀ କୁଲଡ଼ା ରାସ୍ତାକୁ ବି ଖୋଳିଦେଇଛି। ଯାହାଫଳରେ, ଯାତାୟାତ ପ୍ରଭାବିତ ହୋଇଛି। ସ୍ଥାନୀୟ ସରପଞ୍ଚଙ୍କ ଅଭିଯୋଗ ଅନୁସାରେ, ଏଥିପାଇଁ ଏମ୍ସିଏଲ୍ କର୍ତ୍ତୃପକ୍ଷ ଆଗୁଆ ସୂଚନା ଦେଇନାହାନ୍ତି। ଏତ୍ବ୍ୟତୀତ, ତୁମୁଲିଆ ଗାଁକୁ ଲାଗି ଖଣି ଖନନ କରିବା ସହ ବିସ୍ଫୋରଣ ଘଟାଉଥିବାରୁ ଲୋକମାନେ ଭୟଭୀତ ଅବସ୍ଥାରେ ରହିଛନ୍ତି। ଥଇଥାନ ନକରି ଏମସିଏଲ୍ କର୍ତ୍ତୃପକ୍ଷଙ୍କ ଏହିଭଳି ଉଦ୍ୟମକୁ ନେଇ ବିସ୍ଥାପିତ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏ ଖବର ସାମ୍ନାକୁ ଆସିବା ପରେ ରାଜ୍ୟର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।
