ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଗୋଆରେ ଦିନକୁ ଦିନ ଧର୍ମାନ୍ତରଣ ପ୍ରକି୍ରିୟା ବଢ଼ିବାରେ ଲାଗିଛି । ଏହା ମଧ୍ୟରେ ରାଜ୍ୟରେ ଧର୍ମାନ୍ତରଣ ଉପରେ କଡା ପ୍ରତିକ୍ରିୟା ରଖିଛନ୍ତି ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ। ତେବେ ଗୋଆର ଜାଲମୀ ୱାଡାରେ କୁଡନେମ ମନ୍ଦିରର ପ୍ରତିଷ୍ଠା ସମାରୋହରେ ସାୱନ୍ତ ଏହି କଥା କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ, ପୁଣି ଥରେ ଧର୍ମ ଉପରେ ଆକ୍ରମଣ କରାଯାଉଛି। ମୁଁ ମିଛ କହୁନାହିଁ। ଗୋଆର ବିଭିନ୍ନ ସ୍ଥାନରେ ଧର୍ମ ପରିବର୍ତ୍ତନ ବୃଦ୍ଧି ପାଉଥିବା ଆମେ ଦେଖୁଛୁ। ଲୋକଙ୍କୁ ପ୍ରୋଲଭିତ କରି ଧର୍ମାନ୍ତରଣ କରାଯାଉଛି । ଗରିବ, ପଛୁଆ ବର୍ଗ, ଯେଉଁମାନଙ୍କ ନିକଟରେ ଖାଇବା ନାହିଁ, ଚାକିରି ନାହିଁ, ସେହିପରି ଲୋକଙ୍କ ପ୍ରଲୋଭିତ କରି ସେମାନଙ୍କ ଧର୍ମ ପରିବର୍ତ୍ତନ କରାଯାଉଛି।
ଗୋଆ ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟ ସରକାର ଧର୍ମାନ୍ତରଣ ହେବାକୁ ଦେବେ ନାହିଁ, କିନ୍ତୁ ଲୋକେ ମଧ୍ୟ ଏଥିପ୍ରତି ସତର୍କ ରହିବା ଜରୁରୀ। ମନ୍ଦିରରେ ଥିବା କମିଟି ଏବଂ ପରିବାର ଗୁଡିକୁ ସତର୍କ ରହିବାକୁ ପଡିବ। ଏହା ପୂର୍ବରୁ ମାର୍ଚ୍ଚ ୩୧ ତାରିଖରେ ନିଜର ବଜେଟ୍ ଅଭିଭାଷଣରେ ସିଏମ ସାୱନ୍ତ ପର୍ତୁଗାଲ ଶାସନରେ ନଷ୍ଟ ହୋଇଥିବା ମନ୍ଦିରର ପୁନଃଉଦ୍ଧାର ପାଇଁ ୨୦ କୋଟି ଟଙ୍କା ଆବଣ୍ଟିତ କରିବା ନେଇ ଘୋଷଣା କରିଥିଲେ। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।
