କଂଗ୍ରେସରେ ଯୋଗଦେବେ ବିଜୟ ମହାପାତ୍ର ! ପାଟକୁରାରୁ ଦିଲ୍ଲୀ ଭାୟା ବଲାଙ୍ଗୀର !

ଭୁବନେଶ୍ୱର – କଂଗ୍ରେସରେ ଯୋଗଦେବେ ବରିଷ୍ଠ ନେତା ବିଜୟ ମହାପାତ୍ର ! ବିଜେଡିକୁ ଫେରିବା ରାସ୍ତା ବନ୍ଦ ଥିବା ବେଳେ ବିଜୟଙ୍କ ପାଇଁ ଏବେ କଂଗ୍ରେସ ହିଁ ଏକମାତ୍ର ବିକଳ୍ପ । ନୂଆ ଦଳ ଗଢ଼ି ରିସ୍କ ନେବାକୁ ଚାହୁଁ ନଥିବା ବିଜୟ କଂଗ୍ରେସ ସହ ଯୋଗାଯୋଗରେ ଥିବା ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

ସାଧାରଣତଃ କୌଣସି ବଡ଼ ନେତା କୌଣସି ଦଳରୁ ଇସ୍ତଫା ଦେବା ପୂର୍ବରୁ ନିଜ ରାଜନୈତିକ ଯୋଜନା, ଭବିଷ୍ୟତ ପ୍ରତି ସଚେତନ ଥାଆନ୍ତି । ଏମିତିରେ ବିଜୟଙ୍କ ଭଳି ରାଜନେତା ସେମିତି ଗୋଟି ଚାଳନା କରିଥିବେ । ବିଜେପିରୁ ହଠାତ୍‌ ଇସ୍ତଫା ଦେବା ପୂର୍ବରୁ କୌଣସି ଦଳ ସହ ଆଲୋଚନା କରିଥିବେ ବିଜୟ ।

ବିଜୟଙ୍କ ଇସ୍ତଫା ପୂର୍ବରୁ ଏବଂ କିଛି ଦିନ ପର ପର୍ଯ୍ୟନ୍ତ ଚର୍ଚ୍ଚା ହେଉଥିଲା ସେ ପୁଣି ବିଜେଡିକୁ ଫେରିବେ । କିନ୍ତୁ ସେମିତି କିଛି ହେଲାନାହିଁ । ବରଂ ଗୋଟିଏ ଦଳରୁ ଇସ୍ତଫା ଦେଇ ଭବିଷ୍ୟତ ରଣନୀତି ସ୍ପଷ୍ଟ ନ କରିବା କାରଣରୁ ତାଙ୍କ ଅନେକ ସମର୍ଥକ ବିଜେଡି ଓ କଂଗ୍ରେସକୁ ଚାଲି ଯାଇଛନ୍ତି । ତେଣୁ କୁହାଯାଇପାରେ ବିଜୟଙ୍କ ଭବିଷ୍ୟତ ସମ୍ଭାବନା ନେଇ କର୍ମୀ ବି ସନ୍ଦିହାନ ।

ଓଡିଶା ରାଜନୀତିରେ ରୁଚି ରଖୁଥିବା ଲୋକ ଜାଣନ୍ତି, ପିସିସି ସଭାପତି ନିରଂଜନ ପଟ୍ଟନାୟକ ଓ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ସହ ବିଜୟଙ୍କର ରହିଛି ଖାସ୍‌ ସଂପର୍କ । ୨୦୦୦ ମସିହା ସାଧାରଣ ନିର୍ବାଚନ ପୂର୍ବରୁ ହଠାତ୍‌ ବିଜୟଙ୍କୁ ବହିଷ୍କାର କରି ତାଙ୍କ ରାଜନୈତିକ କ୍ୟାରିୟରକୁ ଖତମ କରିଦେଇଥିଲା ବିଜେଡି । କିନ୍ତୁ ୨୦୦୧ରେ ବିଜୟ ଗଢ଼ିଥିଲେ ନୂଆ ଦଳ ଯାହାର ନାଁ ଥିଲା ଓଡ଼ିଶା ଗଣ ପରିଷଦ ।

୨୦୦୪ରେ କଂଗ୍ରେସ ସହ ମେଣ୍ଟ କରିଥିଲା ବିଜୟଙ୍କ ଦଳ । କିନ୍ତୁ ନିର୍ବାଚନରେ ହାରି ଯାଇଥିଲେ ବିଜୟ ମହାପାତ୍ର ।
୧୯୮୦, ୧୯୮୫, ୧୯୯୦ ଓ ୧୯୯୫ରେ କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ନିର୍ବାଚନ ମଣ୍ଡଳୀରୁ ଲଗାତର ଜିତିଥିଲେ ବିଜୟ । ବିଜୁ ବାବୁଙ୍କ ମନ୍ତ୍ରୀମଣ୍ଡଳରେ ଜଳସେଚନ, ଶକ୍ତି ଓ ସଂସଦୀୟ ବ୍ୟାପାର ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ବି ମନ୍ତ୍ରୀ ଥିଲେ । କିନ୍ତୁ ପରିବର୍ତ୍ତିତ ରାଜନୈତିକ ସ୍ଥିତିରେ ୨୦୦୯ରେ ବିଜେପିକୁ ଯାଇଥିଲେ । ସେବେଠାରୁ ରେସ୍‌ରେ ହାରି ଯାଇଥିବା ଘୋଡ଼ା ହୋଇଯାଇଛନ୍ତି ବିଜୟ ମହାପାତ୍ର ।

ଗୋଟିଏ ପଟେ ଲଗାତର ପରାଜୟ ଅନ୍ୟପଟେ ବିଜେପିରୁ ଇସ୍ତଫା ବିଜୟଙ୍କୁ ଏବେ ରାଜନୀତିର ଆସେଟ୍ ବଦଳରେ କରିଦେଇଛି ପଲିଟିକାଲ ଦେବାଳିଆ । ତେଣୁ ବିଜୟଙ୍କୁ ନେଇ ବୋଧହୁଏ ବିଜେଡି କ୍ଷତି ସହିବାକୁ ଚାହୁଁନି । ଅବଶ୍ୟ ଏକଥା ବି ସତ, ନିକଟରେ ତିନି ରାଜ୍ୟରେ କଂଗ୍ରେସ କ୍ଷମତା ଦଖଲ କରିବା ପରେ ବିଜୟ କଂଗ୍ରେସକୁ ଆସିବାକୁ ଆଗଭର ହୋଇଥିବେ ନିଶ୍ଚୟ ।

ଆଉ ଏକଥା ବି ସତ, ଉଭୟ ନିରଂଜନ ପଟ୍ଟନାୟକ ଓ ନରସିଂହ ମିଶ୍ରଙ୍କ ପାଇଁ ୨୦୧୯ ହେବ ଶେଷ ନିର୍ବାଚନ । ତେଣୁ ତାଙ୍କ ପରେ ହୁ ଇଜ୍ ନେକ୍ସଟ କେବଳ ବିଜୟ ମହାପାତ୍ର ହିଁ ହୋଇପାରିବେ । ତେଣୁ ସାଂପ୍ରତିକ ରାଜନୈତିକ ଲଢ଼େଇରେ ବିଜୟଙ୍କ ପାଇଁ କଂଗ୍ରେସ ହିଁ ଏକମାତ୍ର ସେଫ୍ ଜୋନ । ଖାସ ସେଥିପାଇଁ କଂଗ୍ରେସକୁ ଆସିବାକୁ ରାହୁଲଙ୍କ ନିକଟତମ ଜନୈକ ଦିଲ୍ଲୀ ନେତାଙ୍କ ସହ ବିଜୟ ଲଗାତର ସଂପର୍କରେ ଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି । ଜାନୁଆରୀ ଶେଷ ସପ୍ତାହ ବେଳକୁ ବିଜୟ କଂଗ୍ରେସରେ ଯୋଗଦେଇପାରନ୍ତି ବୋଲି ଅନୁମାନ କରାଯାଉଛି ।

Related Posts