ରାଫେଲ୍‌ ଡିଲ୍‌: କଂଗ୍ରେସର ଅଡି଼ଓ ବମ୍‌, ଗୋଆ କ୍ୟାବିନେଟ୍‌ ବୈଠକରେ କହିଥିଲେ ପାରିକର, ‘ମୋ ବେଡ୍‌ରୁମ୍‌ରେ ରାଫେଲ୍‌ ଫାଇଲ୍‌’

ରାଫେଲ୍‌ ଡିଲ୍‌ ମାମଲାରେ କଂଗ୍ରେସ ପୁଣି ଥରେ ମୋଦି ସରକାରଙ୍କ ଉପରେ କରିଛି ଆକ୍ରମଣ । ଏଥର କଂଗ୍ରେସ ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାରିକରଙ୍କୁ କରିଛି ଟାର୍ଗେଟ୍‌ । କଂଗ୍ରେସ ପକ୍ଷରୁ ଏକ ଅଡ଼ିଓ ଜାରି କରାଯାଇଛି, ଯେଉଁଥିରେ ରାଫେଲ୍‌ ଡିଲ୍‌ ସମ୍ପର୍କିତ ଆଲୋଚନା ହେଉଛି ।

ନୂଆ ବର୍ଷ ସାଙ୍ଗରେ ନେଇ ଆସିଛି ନୂଆ ରାଜନୈତିକ ଲଢ଼େଇ । ପ୍ରଥମ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ଇଣ୍ଟରଭ୍ୟୁରେ କଂଗ୍ରେସ ଉପରେ ଆକ୍ରମଣ କଲେ । ଅନ୍ୟପଟେ ଦ୍ବିତୀୟ ଦିନ କଂଗ୍ରେସ ପକ୍ଷରୁ ରାଫେଲ୍‌ ଡିଲ୍‌କୁ ନେଇ ଆଉ ଏକ ଧମାକା କରାଯାଇଛି । କଂଗ୍ରେସ ମୁଖପାତ୍ର ରଣଦୀପ ସୁରଜେୱାଲା ବୁଧବାର ଏକ ଅଡ଼ିଓ ଜାରି କରିଛନ୍ତି ।

ସୁରଜେୱାଲା ଦାବି କରିଛନ୍ତି ଯେ କିଛି ଦିନ ପୂର୍ବରୁ ଗୋଆ କ୍ୟାବିନେଟ୍‌ ବୈଠକରେ ମୁଖ୍ୟମନ୍ତ୍ରୀ ମନୋହର ପାରିକର ରାଫେଲ୍‌ ଫାଇଲ୍‌ ସମ୍ପର୍କିତ ଏକ ବଡ଼ ବୟାନ ଦେଇଥିଲେ । ମନୋହର ପାରିକର କହିଥିଲେ ଯେ ତାଙ୍କର କେହି କିଛି କରିପାରିବେ ନାହିଁ, ସବୁ ଫାଇଲ୍‌ ତାଙ୍କ ପାଖରେ ଅଛି ।

କଂଗ୍ରେସ ନେତା ସୁରଜେୱାଲା ଗୋଆ ସ୍ବାସ୍ଥ୍ୟମନ୍ତ୍ରୀ ବିଶ୍ବଜିତ୍‌ ରାଣେଙ୍କ କଥାବାର୍ତ୍ତାର ଏକ ଅଡ଼ିଓ ଜାରି କରିଛନ୍ତି । ସୁରଜେୱାଲା ପ୍ରଶ୍ନ କରିଛନ୍ତି ଯେ ମନୋହର ପାରିକରଙ୍କ ପାଖରେ ରାଫେଲ ସହ ସମ୍ପର୍କିତ କେଉଁ କେଉଁ ଫାଇଲ୍‌ର ରହସ୍ୟ ରହିଛି । ରାଫେଲ୍‌ ଫାଇଲ୍‌ରେ କଣ କଣ ଗଡ଼ବଡ଼ି ହୋଇଛି ।

କିନ୍ତୁ ଗୋଆର ମନ୍ତ୍ରୀ କାହା ସହ କଥା ହେଉଥିଲେ ଏ ନେଇ ସୁରଜେୱାଲା କିଛି ଉଲ୍ଲେଖ କରିନାହାନ୍ତି । ସୁରଜେୱାଲା କହିଲେ ଯେ ରାଷ୍ଟ୍ରୀୟ ସୁରକ୍ଷା ଓ ରାଫେଲ କିଣା ଘୋଟାଲା ସମ୍ପର୍କିତ ପୁରା ମାମଲା ବିଜେପିର ମୁଖ୍ୟମନ୍ତ୍ରୀ ଓ ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀଙ୍କ ଦ୍ବାରା ଏମିତି କହିବା ରାଫେଲ୍‌ ଘୋଟାଲାର ସବୁ ଅଭିଯୋଗକୁ ପ୍ରମାଣିତ କରୁଛି, ରାଫେଲ୍‌ ମାମଲାରେ ଗଡ଼ବଡ଼ି ହୋଇଛି । ଯାହା ପାଇଁ ଚୌକିଦାର ହିଁ ଦାୟୀ ।

Related Posts